Categories: ଜାତୀୟ

ଏମ୍ସ୍‌ ବ୍ୟାଙ୍କ ଖାତାରୁ ୧୨ କୋଟି ଚୋରି: ପୁଣି ୨୯ କୋଟି ଲୁଟ୍‌ ଉଦ୍ୟମ ବିଫଳ

ନୂଆଦିଲ୍ଲୀ,୩୦।୧୧: ଏମ୍ସ୍‌ର ବ୍ୟାଙ୍କ ଖାତାରୁ ୧୨ କୋଟିରୁ ଅଧିକ ଟଙ୍କା ଚୋରି ହୋଇଛି। ଅପରାଧୀମାନେ ପୁଣି ଥରେ ଏହି ଖାତାରୁ ୨୯ କୋଟି ଟଙ୍କା ଲୁଟିବାର ଯୋଜନା କରିଥିଲେ। ତେବେ ତାହା ବିଫଳ ହୋଇଥିବା କୁହାଯାଉଛି। ଗତ ଏକ ମାସ ମଧ୍ୟରେ ନକଲି ଚେକ୍‌ ଦ୍ୱାରା ଏମ୍ସ୍‌ର ଏସ୍‌ବିଆଇ ବ୍ୟାଙ୍କ ଖାତାରୁ ଏହି ଟଙ୍କା ଉଠାଯାଇଛି। ଦେଶର ବିଭିନ୍ନ ସହରରେ ଥିବା ଏସ୍‌ବିଆଇ ଶାଖାରେ ଏଭଳି ଠକେଇ ହୋଇଛି। ଏହି ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ ମଧ୍ୟ ଅପରାଧୀମାନେ ଡେରାଡୁନ୍‌ ଏବଂ ମୁମ୍ବାଇଠାରେ ଥିବା ଶାଖାରୁ ୨୯ କୋଟି ଟଙ୍କା ଲୁଟିବାର ଉଦ୍ୟମ କରିଥିବା ଜଣାପଡ଼ିଛି। ଡେରାଡୁନ୍‌ ଶାଖାରୁ ୨୦ କୋଟି ଏବଂ ମୁମ୍ବାଇସ୍ଥିତ ଶାଖାରୁ ୯ କୋଟି ଟଙ୍କା ଉଠାଇବାର ଯୋଜନା ହୋଇଥିଲା। ତେବେ ତାହା ସଫଳ ହୋଇ ପାରି ନ ଥିବା କୁହାଯାଉଛି। ଅପରାଧୀମାନେ ବ୍ୟବହାର କରିଥିବା ନକଲି ଚେକ୍‌ ବ୍ୟାଙ୍କର ଅଲ୍ଟା ଭାଓଲେଟ୍‌ ଯାଞ୍ଜ୍‌ରେ ସଫଳ ରହିଥିଲା। ଫଳରେ ପ୍ରକୃତ ଚେକ୍‌ ଏମ୍ସ୍‌ ପାଖରେ ଥିବାବେଳେ ନକଲି ଚେକ୍‌ର ବ୍ୟବହାର କରି ଟଙ୍କା ଉଠାଯାଇଥିବା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ପକ୍ଷରୁ ସୂଚନା ଦିଆଯାଇଛି।

Share