Categories: ଜାତୀୟ

ଏମିତି ବାପାଙ୍କୁ ସଲାମ: ଗୋଟିଏ ନିଷ୍ପତ୍ତି ବଦଳାଇ ଦେଲା ୯ ଜୀବନ

ଚେନ୍ନାଇ,୨୩।୧୨: ଅଢେଇ ବର୍ଷ ବୟସ୍କା ଅନାୟାକା ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ବାପାଙ୍କ ସାହସିକ ନିଷ୍ପତ୍ତି ଯୋଗୁ ନଅ ଜଣ ରୋଗୀ ଏବେ ଏକ ନୂତନ ଜୀବନ ପାଇବେ। ଏକ ସଡକ ଦୁର୍ଘଟଣାରେ ସମଗ୍ର ପରିବାରକୁ ହରାଇବା ସତ୍ତ୍ୱେ ଅନାୟାକାଙ୍କ ବାପା ଅମିତ ଗୁପ୍ତା ତାଙ୍କ ଝିଅର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପିଜିଆଇର ଡାକ୍ତରମାନେ ଅଙ୍ଗ ଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ସୂଚନାନୁସାରେ, ମେଳ ଖାଉଥିବା ରୋଗୀ ଖୋଜିବା ପରେ ଝିଅର ହୃଦୟ ଚେନ୍ନାଇକୁ ପଠାଯାଇଛି। ଏହି ସମୟରେ ଯକୃତକୁ ଅହମ୍ମଦାବାଦକୁ ପଠାଯାଇଛି। କିଡନୀ ଏବଂ ଚକ୍ଷୁ ପ୍ରତିରୋପଣ ପାଇଁ ରୋଗୀମାନେ ମେଳ କରାଯାଉଛି। ଏହା ବ୍ୟତୀତ ଅଗ୍ନାଶୟ ମଧ୍ୟ ପ୍ରତିରୋପଣ କରାଯାଇଛି। ଅମିତ ଗୁପ୍ତାଙ୍କ ଏହି ପଦକ୍ଷେପକୁ ପିଜିଆଇ ମଧ୍ୟ ପ୍ରଶଂସା କରିଛି ଏବଂ ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି କହିଛି।
ଡିସେମ୍ବର ୧୨ରେ ମୋହାଲିରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପରିବାରର ୬ ଜଣଙ୍କର ମୁତ୍ୟୁ ଘଟିଥିଲା। ଅନାୟାକାଙ୍କ ମା’ କୀର୍ତ୍ତୀ ଗୁପ୍ତା (୩୩), ଭାଇ ନୁଭାନଶ (୦୬), ମାମୁ ଅନୁଜ ବଂଶଲ (୩୦), ଜେଜେମା ଉଷା ରାନୀ (୬୦) ଏବଂ ତାଙ୍କ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନାୟାକା ଗୁରୁତର ଆହତ ହୋଇଥିଲେ, ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ପିଜିଆଇକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ। ସୋମବାର ତାଙ୍କର ମସ୍ତିଷ୍କ ମୃତ ଘୋଷଣା କରାଯାଇଥିଲା। ଏହା ପରେ ବେଙ୍ଗାଲୁରୁରୁ ଆସିଥିବା ଅମିତ ଗୁପ୍ତା ତାଙ୍କ ସମ୍ପର୍କୀୟ ତାରସେମ ଗୋୟଲ ଏବଂ ମାତା ମାମୁ ସତ୍ୟ ପ୍ରକାଶଙ୍କ ପରାମର୍ଶ କ୍ରମେ ଅନାୟାକାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପିତା ଅମିତ ଗୁପ୍ତା କହିଛନ୍ତି ଯେ, ତାଙ୍କର ପ୍ରିୟ ଝିଅକୁ ହରାଇବା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ବର୍ତ୍ତମାନ ଛଅରୁ ନଅ ଜଣ ଲୋକ ତାଙ୍କ ଅଙ୍ଗରୁ ନୂତନ ଜୀବନ ପାଇବେ, ଯାହା ମୋତେ ସାରା ଜୀବନ ଶାନ୍ତି ଦେବ । ମୋ ଝିଅ ଦୁନିଆରେ ନ ଥିଲେ ମଧ୍ୟ ଅନେକ ଲୋକଙ୍କ ମଧ୍ୟରେ ଜୀବିତ ରହିବେ।

Share