ଏମିତି ଚାଲିଛି ପାଠପଢ଼ା: ୧୧୯ ଛାତ୍ରୀଛାତ୍ରଙ୍କୁ ୨ ଶିକ୍ଷୟିତ୍ରୀ

ମାଧପୁର,୧୦।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷକ ଅଭାବ ଦେଖାଦେଇଛି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୯ ଜଣ ଛାତ୍ରୀଛାତ୍ର ପଢ଼ୁଥିବା ବେଳେ ପଢ଼ାଇବାକୁ ୨ (କଳା) ଶିକ୍ଷୟିତ୍ରୀ ଅଛନ୍ତି। ଅଷ୍ଟମ ଶ୍ରେଣୀ ପାଇଁ ଜଣେ ହେଲେ ବିଜ୍ଞାନ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି ।
ସୂଚନାଯୋଗ୍ୟ, ସ୍କୁଲରେ ପୂର୍ବରୁ ୪ ଶିକ୍ଷୟିତ୍ରୀ ଥିବାବେଳେ ଗତ କିଛି ମାସ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟିରେ ରହିଥିଲେ। ପୁଣି ଏବେ କିଛି ସପ୍ତାହ ହେବ ଆଉ ଜଣେ ଶିକ୍ଷୟିତ୍ରୀ ସମାନ କାରଣ ପାଇଁ ଛୁଟିରେ ରହିବା ହେତୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ତେଣୁ ନିୟମାନୁସାରେ ସ୍କୁଲରେ ୫ ଜଣ ଶିକ୍ଷକ ରହିବା ସ୍ଥଳରେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ବୈଠକରେ ଯୋଗଦେବାକୁ ପଡ଼ୁଥିବାରୁ ଜଣେ ମାତ୍ର ଶିକ୍ଷୟିତ୍ରୀରେ ବିଦ୍ୟାଳୟ ଚଳାଉଥିବା ନଜିର ଆସୁଛି । ଏ ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନଜର ପଡୁ ନ ଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏଥିପ୍ରତି ପ୍ରଶାସନ ବା ବିଭାଗୀୟ ଅଧିକାରୀ ଶୀଘ୍ର ପଦକ୍ଷେପ ନ ନେଲେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍କୁଲ ପରିଚାଳନା କମିଟିର ସଦସ୍ୟ ତଥା ଗ୍ରାମବାସୀ କହିଛନ୍ତି।