Categories: ଫୁରସତ

ଏମିତି ଏକ ମନ୍ଦିର, ଯେଉଁଠି ହ୍ବେଲ୍‌ ମାଛର କଣ୍ଟାକୁ କରାଯାଏ ପୂଜା

ଭାରତରେ ଦେବୀଦେବତାଙ୍କର ଅନେକ ମନ୍ଦିର ରହିଛି। କିନ୍ତୁ କିଛି ମନ୍ଦିର ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ଏକ ମନ୍ଦିର ରହିଛି ଗୁଜରାଟର ମଗୋଦ ଡୁଙ୍ଗରି ଗଁାରେ। ଏଠାରେ ରହିଛି ‘ମତ୍ସ୍ୟ ମାତାଜୀ’ଙ୍କ ମନ୍ଦିର; ଯେଉଁଠାରେ ହ୍ବେଲ୍‌ ମାଛର କଣ୍ଟାକୁ ପୂଜା କରାଯାଏ। ୩ ଶହ ବର୍ଷ ପୁରୁଣା ଏହି ମନ୍ଦିରର ନିର୍ମାଣ ଜଣେ ମତ୍ସ୍ୟଜୀବୀ କରିଥିଲେ। ମାଛ ଧରିବାକୁ ସମୁଦ୍ରକୁ ଯିବା ପୂର୍ବରୁ ସମସ୍ତ ମତ୍ସ୍ୟଜୀବୀ ଏଠାରେ ନତମସ୍ତକ ହୋଇଥାନ୍ତି। କୁହାଯାଏ ଆଜକୁ ୩ ଶହ ବର୍ଷ ପୂର୍ବେ ଏଠାରେ ପ୍ରଭୁ ଟଣ୍ଡେଲ୍‌ ନାମକ ବ୍ୟକ୍ତିକୁ ସ୍ବପ୍ନାଦେଶ ହୋଇଥିଲା ଯେ ସମୁଦ୍ର କୂଳରେ ଏକ ହ୍ବେଲ୍‌ ମୃତ ଅବସ୍ଥାରେ ପଡ଼ିରହିଛି। ସକାଳୁ ଉଠିବା ପରେ ଜାଣିଲେ ସ୍ବପ୍ନ ସତ। ବିଶାଳକାୟ ହ୍ବେଲ୍‌କୁ ଦେଖି ସମସ୍ତେ ଭୟଭୀତ ହୋଇଥିଲେ। କିନ୍ତୁ ଟଣ୍ଡେଲ୍‌ ସ୍ବପ୍ନରେ ଦେଖିଥିଲେ ଯେ ଦେବୀ ମା’ ମତ୍ସ୍ୟ ରୂପରେ ସମୁଦ୍ର କୂଳକୁ ଆସିଥିଲେ। ଏଣୁ ହ୍ବେଲ୍‌କୁ ଦୈବ୍ୟ ଅବତାର ମାନି ଗ୍ରାମବାସୀ ଏକ ମନ୍ଦିର ନିର୍ମାଣ କଲେ। ଏଥିପାଇଁ ପ୍ରଥମେ ଟଣ୍ଡେଲ୍‌ ହ୍ବେଲ୍‌କୁ ମାଟିରେ ପୋତିଦେଲେ। ମନ୍ଦିର ନିର୍ମାଣ ଶେଷ ହେବା ପରେ ହ୍ବେଲ୍‌ର ଅସ୍ଥିକୁ କାଢ଼ି ସେଠାରେ ସ୍ଥାପିତ କଲେ। ସେବେଠାରୁ ସମସ୍ତ ମତ୍ସ୍ୟଜୀବୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ପାଲଟିଛି ମତ୍ସ୍ୟ ମାତାଜୀ ମନ୍ଦିର। ପ୍ରତିବର୍ଷ ନବରାତ୍ରୀ ସମୟରେ ଏଠାରେ ପୂଜା ଓ ମେଳାର ଆୟୋଜନ ହୋଇଥାଏ।

Share