ଏମିତି ଏକ ମନ୍ଦିର, ଯେଉଁଠି ଗୋବରରେ ପୂଜା ପାଆନ୍ତି ଗଣେଶ

ମଧ୍ୟପ୍ରଦେଶର ମହେଶ୍ୱରଠାରେ ଥିବା ଏକ ମନ୍ଦିରରେ ଗୋବରରେ ନିର୍ମିତ ଗଣେଶ ପୂଜା ପାଇଥା’ନ୍ତି। ଭାରତରେ ଯେତେ ବି ମନ୍ଦିର ଅଛି ସବୁ ମନ୍ଦିରର କିଛି ନା କିଛି ଇତିହାସ ରହିଛି। ତେବେ ଆପଣ ଏହା ବିଶ୍ୱାସ କରିବେନି କି, ଏହି ମନ୍ଦିରରେ ପୂଜା ପାଉଥିବା ଭଗବାନ ଗଣେଶ ଗୋବରରେ ତିଆରି ହୋଇଛନ୍ତି। ଏହି ମନ୍ଦିରରେ ପୂଜା ପାଇଁ ଆସୁଥିବା ଭକ୍ତ ଗୋବରର ପବିତ୍ରତା ଉପରେ ବିଶ୍ୱାସ କରନ୍ତି। ଗୋବରରେ ପଞ୍ଚତତ୍ତ୍ୱ ରହୁଥିବାରୁ ଏଥିରେ ନିର୍ମିତ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅପାର କରୁଣା ଲାଭ ହୁଏ ବୋଲି ସ୍ଥାନୀୟ ଲୋକଙ୍କ ଧାରଣା ରହିଛି। ସେହିପରି ଗୋବରରେ ଧନଦାତ୍ରୀ ମା’ ଲକ୍ଷ୍ମୀ ବାସ କରୁଥିବାରୁ ଏକତ୍ର ଗଣେଶ ଓ ଲକ୍ଷ୍ମୀଙ୍କର ପୂଜା କରିବାର ସୌଭାଗ୍ୟ ମିଳିଥାଏ। ଏହାଦ୍ୱାରା ସାଂସାରିକ ଜୀବନରେ ଥିବା ସମସ୍ୟା ସହ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ ବୋଲି ଗୋବର ଗଣେଶଙ୍କ ଉପାସକ କୁହନ୍ତି। ତେବେ ଏହି ମନ୍ଦିରର ଆଉ ଏକ ସ୍ବତନ୍ତ୍ରତା ରହିଛି ଯେ, ଏହି ମନ୍ଦିରର ଆକାର ମନ୍ଦିର ପରି ନୁହେଁ ବରଂ ମସଜିଦ ପରି। ଔରଙ୍ଗଜେବଙ୍କ ଶାସନ ସମୟରେ ସେ ଏହି ମନ୍ଦିରକୁ ଭାଙ୍ଗି ମସଜିଦ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ। ସେହିଦିନ ଠାରୁ ଏହି ମନ୍ଦିରର ଆକାର ମସଜିଦ ପରି ରହିଛି। ମନ୍ଦିରରେ ଗଣେଶଙ୍କ ଗଳାରେ ହାର ଏବଂ ମୁଣ୍ଡରେ ସୁନ୍ଦର ମୁକୁଟ ଆପଣ ଦେଖିବାକୁ ପାଇବେ। ଏହି ମନ୍ଦିର ବହୁ ଲୋକପ୍ରିୟ। ପ୍ରଭୁ ଶ୍ରୀ ଗଣେଶ ସମସ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Share