‘ଏବେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା’

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରେ ତୃତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଗୋଷ୍ଠୀ ବା ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଆଗରୁ କେବଳ ବିଦେଶରୁ ଆସୁଥିବା ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେଉଥିଲେ। କିନ୍ତୁ ଏବେ ଦିଲ୍ଲୀ, ହରିୟାଣାରୁ ଫେରୁଥିବା ବ୍ୟକ୍ତି ମଧ୍ୟ ସଂକ୍ରମଣର ଶିକାର ହେଉଛନ୍ତି। ସାମାଜିକ ସଂକ୍ରମଣ ଆଶଙ୍କା ବୃଦ୍ଧିପାଇଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର୍ର (କୋଭିଡ୍‌-୧୯) ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି ଯେ, ଆସନ୍ତା ୨/୩ ସପ୍ତାହ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଏହି ସମୟରେ ଲୋକମାନେ ଘରୁ ବାହାରକୁ ନ ବାହାରିବା ଉଚିତ। ତୃତୀୟ ପଜିଟିଭଙ୍କ ସମ୍ପର୍କରେ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି ଯେ, ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୬୦। ସେ ମାର୍ଚ୍ଚ ୭ରେ ଦିଲ୍ଲୀ ଯାଇଥିଲେ। ଏହାପରେ ହରିୟାଣାରୁ ରିଓ୍ବାଡି ଅଞ୍ଚଳକୁ ଯାଇ ମାର୍ଚ୍ଚ ୧୦ରେ ଇଣ୍ଡିଗୋ ୬-ଇ୨୦୧୪ ବିମାନ ଯୋଗେ ସପରିବାର ଭୁବନେଶ୍ୱର ଫେରିଥିଲେ। ମାର୍ଚ୍ଚ ୧୩ରେ ସେ ଅସୁସ୍ଥ ଅନୁଭବ କରିଥିଲେ। ମାର୍ଚ୍ଚ ୧୬ରେ ବିଧାନସଭା ଡାକ୍ତରଖାନାରେ ଦେଖାଇଥିଲେ। ଏଥିରେ ସାମାନ୍ୟ ସୁସ୍ଥ ହୋଇଥିବାବେଳେ ସପ୍ତାହ ପରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ମାର୍ଚ୍ଚ ୨୩ରେ କର କ୍ଲିନିକରେ ଦେଖାଇଥିଲେ। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ୨୪ରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ସେଠାରେ ତାଙ୍କ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଗୁରୁବାର ସମ୍ପୃକ୍ତ ରୋଗୀ ଜଣକ କରୋନାରେ ଆକ୍ରାନ୍ତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ରୋଗୀ ଜଣକ ବିଧାନସଭା ଡିସ୍‌ପେନ୍‌ସାରି ଯାଇଥିବାରୁ ତାଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଥିଲେ। ସେଥିପାଇଁ ସମସ୍ତ ବିଧାନସଭା କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ସ୍ତ୍ରୀ, ଝିଅ ଓ ଡ୍ରାଇଭରଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଅନ୍ୟମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି ବୋଲି ବାଗ୍‌ଚୀ କହିଛନ୍ତି।