ଏବେ ଖାଇହେବ କୁକୁଡ଼ା ମାଂସ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଲାଗିଥିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି। କିନ୍ତୁ ଏଥିପାଇଁ କୌଣସି ଆଶଙ୍କା ସୃଷ୍ଟି ହେବା ଉଚିତ ନୁହେଁ। କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ଭୟ ନାହିଁ ବୋଲି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ସରକାରଙ୍କ ତରଫରୁ ଓୟୁଏଟି କୁକୁଡ଼ା ଫାର୍ମ ଓ ଏହାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ସମସ୍ତ କୁକୁଡ଼ା ଓ ବତକଙ୍କୁ ମାରି ପୋତି ଦିଆଯିବା ସହ ଉପଲବ୍ଧ ଅଣ୍ଡା ଓ କୁକୁଡ଼ା ଖାଦ୍ୟକୁ ମଧ୍ୟ ନଷ୍ଟ କରି ପୋତି ଦିଆଯାଇଛି। ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବିଶୋଧକ ପ୍ରୟୋଗ କରାଯାଇଛି। ଓୟୁଏଟି କୁକୁଡ଼ା ଫାର୍ମକୁ ସିଲ୍‌ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ତରଫରୁ ଗତ ୪ ତାରିଖରେ ‘ଜୀବାଣୁମୁକ୍ତ ପ୍ରମାଣପତ୍ର’ ପ୍ରଦାନ କରାଯାଇଛି। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇଲେ କୌଣସି ଭୟ ରହିବ ନାହିଁ। ୭୦ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ୩୦ମିନିଟ୍‌ ପର୍ଯ୍ୟନ୍ତ ସିଝାଇଲେ ବାର୍ଡ-ଫ୍ଲୁ (ଏଚ୍‌୫ ଏନ୍‌୧) ଭୂତାଣୁ ନଷ୍ଟ ହୋଇଯାଏ। ଏହାବ୍ୟତୀତ ଜାନୁୟାରୀ ୨୮ରୁ ଏ ପର୍ଯ୍ୟନ୍ତ ଓୟୁଏଟି କୁକୁଡ଼ା ଫାର୍ମର ଏକରୁ ଦଶ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ କୌଣସି କୁକୁଡ଼ା ବା କୁକ୍କୁଟଜାତୀୟ ପକ୍ଷୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇନାହିଁ। ତେଣୁ ଲୋକେ ଆଶଙ୍କାଗ୍ରସ୍ତ ନ ହୋଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଇପାରିବେ ବୋଲି ନିଦ୍ଦେର୍ର୍ଶାଳୟ ପକ୍ଷରୁ କୁହାଯାଇଛି।