ଏବେ ଇନ୍‌ସୁରାନ୍ସ, ପଲ୍ୟୁସନ ଯାଞ୍ଚ ହେଉନାହିଁ: ପୋଲିସ କମିଶନର

ଭୁବନେଶ୍ୱର,୭।୯(ବ୍ୟୁରୋ): ଏବେ ଇନ୍‌ସୁରାନ୍ସ ଏବଂ ପଲ୍ୟୁସନ ଯାଞ୍ଚ ହେଉନାହିଁ। କେବଳ ୫ଟି ଗଫଲତି ଦେଖି ଜରିମାନା ଆଦାୟ ହେଉଛି। ବାଇକ୍‌ରେ ୩ଜଣଙ୍କୁ ନେଲେ, ହେଲ୍‌ମେଟ ପିନ୍ଧି ନ ଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ମୋବାଇଲରେ ଗପୁଥିଲେ, ରାସ୍ତାର ଭୁଲ ସାଇଡ୍‌ରେ ଗଲେ ଜରିମାନା ଆଦାୟ ହେଉଛି। ଏପରିକି ପରିବହନ ବିଭାଗ ସହ କଥା ହୋଇଛୁ। ଆଇନ୍‌ ଉଲ୍ଲଂଘନ କରୁଥିବା ପୋଲିସ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ନୂଆ ମୋଟର ଯାନ ଆଇନ୍‌କୁ ନେଇ ଅସନ୍ତୋଷ ସହ ସରକାରୀ ଗାଡ଼ିକୁ ଯାଞ୍ଚ କରିବାକୁ ଚେଷ୍ଟା କରିବାକୁ ନେଇ ରାଜମହଲ ଛକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନେଇ ସେ ପ୍ରତିକ୍ରିୟା ରଖି ଏହା କହିଛନ୍ତି।

ସୂଚନାଯୋଗ୍ୟ, ନୂଆ ମୋଟର ଯାନ ନିୟମ କାର୍ଯ୍ୟକାରୀ ହେବା ପରେ ପୋଲିସ ପକ୍ଷରୁ ଜୋରଦାର ଯାଞ୍ଚ କରାଯାଉଥିବା ବେଳେ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏହାକୁ ବିରୋଧ କରି ଶନିବାର ଅପରାହ୍ନରେ ରାଜମହଲ ଛକରେ ଉତ୍ତ୍ୟକ୍ତ ଲୋକେ ସରକାରୀ ଗାଡ଼ିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ। ଫଳରେ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା।