Categories: ଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର,୯।୬(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲ୍ସରେ ଏସିଆନ୍‌ ଗେମ୍ସ ଚାମ୍ପିୟନ ଜାପାନ ପୁଲ୍‌ ବି’ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଶୁକ୍ରବାର ମେକ୍ସିକୋକୁ ୩-୧ ଗୋଲରେ ପରାସ୍ତ କରିଥିବା ଜାପାନ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଜାପାନ ୨-୦ ଗୋଲରେ ବିଜୟୀ ହୋଇଛି। ଜାପାନ ତରଫରୁ କେଣ୍ଟାରୋ ଫୁକୁଡା ଓ କାଜୁମା ମୁରାଟା ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।
ପ୍ରଥମ କ୍ୱାର୍ଟରରେ ବେଶ୍‌ ସଂଘର୍ଷ ଦେଖିବାକୁ ମିଳିଥିଲ। ଫଳରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ତେବେ ଦ୍ୱିତୀୟ କ୍ୱାର୍ଟରର ୨୬ତମ ମିନିଟ୍‌ରେ ଫୁକୁଡା ଫିଲ୍ଡ ଗୋଲ ଦେଇ ଜାପାନକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ତୃତୀୟ କ୍ୱାର୍ଟରରେ ଜାପାନ ଆଉ ଏକ ଫିଲ୍ଡ ଗୋଲ ଦେବାରେ ସଫଳ ହୋଇଥିଲା। ୪୫ତମ ମିନିଟ୍‌ରେ କାଜୁମା ଏକ ଚମତ୍କାର ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅନ୍ତିମ ତଥା ଚତୁର୍ଥ କ୍ୱାର୍ଟରରେ ଭଭୟ ଦଳ ତରଫରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ତେବେ ଗୋଲ ସ୍କୋର ହୋଇପାରି ନ ଥିଲା। ଦକ୍ଷିଣ ଆଫ୍ରିକା କେତୋଟି ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲରେ ପରିଣତ କରିପାରି ନ ଥିଲା। ୫୬ତମ ମିନିଟ୍‌ରେ ଜାପାନର କାଜୁମାଙ୍କୁ ରେଫରି ୟେଲୋ କାର୍ଡ ଦେଖାଇଥିଲେ। ସେହିପରି ଦକ୍ଷିଣ ଆଫ୍ରିକାର ମାଥ୍ୟୁ ଡି ସୌସାଙ୍କୁ ୫୭ତମ ମିନିଟରେ ୟେଲୋ କାର୍ଡ ଦେଖାଯାଇଥିଲା। ଜାପାନ ତା’ର ତୃତୀୟ ତଥା ଅନ୍ତିମ ପୁଲ ମ୍ୟାଚ୍‌ରେ ୧୦ ତାରିଖ ସୋମବାର ଆମେରିକାକୁ ଭେଟିବ। ସେହିପରି ଦକ୍ଷିଣ ଆଫ୍ରିକା ଏହି ଦିନ ତା’ର ଅନ୍ତିମ ପୁଲ୍‌ ମ୍ୟାଚ୍‌ରେ ମେକ୍ସିକୋ ବିପକ୍ଷରେ ପଡିଆକୁ ଓହ୍ଲାଇବ। ପୁଲ ଏ’ ଓ ବି’ର ଶୀର୍ଷ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବେ। ସେହିପରି ପୁଲ ଏ’ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ ପୁଲ ବି’ର ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ କ୍ରସ୍‌ ଓଭର ମ୍ୟାଚ୍‌ରେ ଭେଟିବ। ଏହି ମ୍ୟାଚ୍‌ର ବିଜୟୀ ଦଳ ସେମିଫାଇନାଲରେ ପୁଲ ବି’ର ଶୀର୍ଷ ଦଳକୁ ଭେଟିବ। ଅନ୍ୟପଟେ ପୁଲ ବି’ର ଦ୍ୱିତୀୟ ଓ ପୁଲ ଏ’ର ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ କ୍ରସ୍‌ଓଭର ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ଏହି ମ୍ୟାଚ୍‌ର ବିଜୟୀ ଦଳ ସେମିଫାଇନାଲରେ ପୁଲ ଏ’ର ଶୀର୍ଷ ଦଳକୁ ଭେଟିବ। ଦୁଇଟି ଯାକ କ୍ରସ୍‌ ଓଭର ମ୍ୟାଚ୍‌ ୧୨ ତାରିଖ ଦିନ ଖେଳାଯିବ। ସେହିପରି ଦୁଇଟି ସେମିଫାଇନାଲ ୧୪ ତାରିଖରେ ଆୟୋଜନ ହେବ। ୧୫ ତାରିଖରେ ଫାଇନାଲ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ।

Share