ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଘୁଞ୍ଚିବା ପ୍ରସଙ୍ଗ: ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତିରେ ସହାୟ ହେବ: ବରୁଣ

ବେଙ୍ଗାଲୁରୁ,୨୭।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏହା ଆମ ପାଇଁ ଲାଭ ଦାୟକ ହେବ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ବିଶ୍ୱର ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ପ୍ରସ୍ତୁତି ହେବାରେ ଏହା ସହାୟକ ହେବ ବୋଲି ଭାରତୀୟ ତାରକା ଡିଫେଣ୍ଡର ବରୁଣ କୁମାର କହିଛନ୍ତି। ଅନ୍ତର୍ଜାତୀୟ ହକି ଫେଡେରେଶନ ଗତ ସପ୍ତାହରେ ହକି ପ୍ରୋ ଲିଗ୍‌ର ଦ୍ୱିତୀୟ ସଂସ୍କରଣକୁ ଗୋଟିଏ ବର୍ଷ ଅର୍ଥାତ ୨୦୨୧ ଜୁନ୍‌ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ମଧ୍ୟ ଏହି ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ବହୁତ୍‌ କିଛି ପରିବର୍ତ୍ତନ ହେବା ସ୍ବାଭାବିକ। କେବେ ଆଉଟ ଡୋର ଟ୍ରେନିଂ ଆରମ୍ଭ କରିବୁ ତାହା ଆମେ ଜାଣିନାହୁଁ। ତେଣୁ କେବେ ପ୍ରତିଯୋଗିତାମୂଳକ ହକି ଫେରିବ ସେ ନେଇ ଏବେ କିଛି କହିପାରିବୁ ନାହିଁ ବୋଲି ବରୁଣ କହିଛନ୍ତି। ତେବେ ପ୍ରୋ ଲିଗ୍‌ ପାଖାପାଖି ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିବାରୁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ଅଛି। ଏହି ସମୟରେ ଆମେ ବିଶ୍ୱର ଶ୍ରେଷ୍ଠ ଦଳଗୁଡିକ ବିରୋଧରେ ଖେଳିବା ପାଇଁ ପ୍ରସ୍ତୁତି କରିପାରିବୁ ଓ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିବୁ। ତେଣୁ ଟୋକିଓ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆମେ ପ୍ରସ୍ତୁତ ବୋଲି ବରୁଣ କହିଛନ୍ତି।
ଡାହାଣ ହାଥରେ ଇଞ୍ଜୁରି କାରଣରୁ ବରୁଣ ଅଲିମ୍ପିକ କ୍ୱାଲିଫାୟର୍ସ ଖେଳିପାରି ନ ଥିଲେ। ତେବେ ସେ ଟୋକିଓ ଅଲିମ୍ପିକ୍ସ ପାଇଁ ୧୬ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଅଲିମ୍ପିକ କ୍ୱାଲିଫାୟର୍ସ ପୂର୍ବରୁ ଭୁବନେଶ୍ୱରରେ ଆମର ଏକ ଦୀର୍ଘ ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ରୁଷିଆ ବିପକ୍ଷ ମ୍ୟାଚ୍‌ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅସୁସ୍ଥ ହୋଇପଡିଥିଲି। ଇଞ୍ଜୁରି କାରଣରୁ ମୋତେ ଦଳ ବାହାରେ ବସିବାକୁ ପଡିଥିଲା। ଏବେ ଫିଟ୍‌ନେସ ଉପରେ ଫୋକସ କରି ଅଲିମ୍ପିକ୍ସ ଅନ୍ତିମ ଦଳରେ ସାମିଲ ହେବାକୁ ବରୁଣ ଲକ୍ଷ୍ୟ ରଖିଛନ୍ତି। ଇଞ୍ଜୁରି ମୁକ୍ତ ହେବା ପରେ ବରୁଣ ଜାନୁୟାରୀରେ କ୍ୟାମ୍ପରେ ଯୋଗ ଦେଇଥିଲେ। ଅଲିମ୍ପିକ୍ସରେ ପଦକ ହାସଲ କରିବା ଆମର ମୂଳ ଲକ୍ଷ୍ୟ ବୋଲି ବରୁଣ କହିଛନ୍ତି।

Share