ଏପ୍ରିଲ ୭ ସୁଦ୍ଧା ରାଜ୍ୟ ହେବ କରୋନା ମୁକ୍ତ: କେସିଆର

ହାଇଦ୍ରାବାଦ,୩୦।୩: ସାରା ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇବାରେ ଲାଗିଛି। ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ତେଲେଙ୍ଗାନାରେ କରୋନା ଭାଇରସ୍‌ରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେ କହିଛନ୍ତି, ତେଲେଙ୍ଗାନାରେ ଏପ୍ରିଲ ୭ ସୁଦ୍ଧା କରୋନା ଭାଇରସ୍‌ ସଂକ୍ରମଣ ବା କୋଭିଡ-୧୯ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ। ଯଦି ଏହାରି ଭିତରେ କୌଣସି ନୂଆ ମାମଲା ନ ଆସେ ତେବେ ଏପ୍ରିଲ ୭ ସୁଦ୍ଧା ରାଜ୍ୟ କରୋନା ମୁକ୍ତ ହୋଇଯିବ। ରବିବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଏଭଳି ବୟାନ ଦେଇଛନ୍ତି କେ. ଚନ୍ଦ୍ରଶେଖର। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୫୮ ରୋଗୀଙ୍କ ଚିକିତ୍ସା ଚାଲିଛି। ସେହିପରି ଅନ୍ୟଦେଶରୁ ତେଲେଙ୍ଗାନାକୁ ଆସିଥିବା ୨୫,୯୩୭ ଲୋକଙ୍କ ଉପରେ ସରକାର ନଜର ରଖିଛନ୍ତି ବୋଲି କେସିଆର କହିଛନ୍ତି। ତେବେ ବାହାରୁ ଆସିଥିବା ସମସ୍ତ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ଏହାର ଅବଧି ଏପ୍ରିଲରେ ସରୁଛି। ତେଣୁ ଏହାକୁ ଦେଖି କେସିଆର ଆକଳନ କରିଛନ୍ତି ଯେ, ଯଦି ଏହାରି ଭିତରେ କୌଣସି ନୂଆ ରୋଗୀ ଚିହ୍ନଟ ନ ହୁଅନ୍ତି, ତେବେ ଖୁବ୍‌ଶୀଘ୍ର ରାଜ୍ୟ କରୋନା ମୁକ୍ତ ହୋଇଯିବ।

Share