Categories: ବାଣିଜ୍ୟ

ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ ଟିକସଦାତା ଏଭଳି ରିଟର୍ନ ଫାଇଲ କରିପାରିବେ। ଏକ ନିର୍ଦ୍ଧାରିତ ନମ୍ବରକୁ ଏସ୍‌ଏମ୍‌ଏସ୍‌ ପଠାଇ ଟିକସଦାତା ଏହାକୁ ଓ୍ବାନ ଟାଇମ ପାସଓ୍ବାର୍ଡ(ଓଟିପି) ଦ୍ୱାରା ନିଶ୍ଚିତ କରାଇବାକୁ ହେବ। ମୋଟ ଟିକସଦାତାଙ୍କ ମଧ୍ୟରୁ ପ୍ରାୟ ୨୩% ଏଭଳି ସୁବିଧା ଦ୍ୱାରା ଲାଭବାନ ହେବେ ବୋଲି ଆକଳନ କରାଯାଇଛି। ଅନୁପାଳନ ପଦ୍ଧତିକୁ ଆହୁରି ବ୍ୟବସ୍ଥିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି। ଏଭଳି ଟିକସଦାତାଙ୍କୁ ଆଉ ଅନ୍‌ଲାଇନରେ ରିଟର୍ନ ଫାଇଲ କରିବାକୁ ପଡିବ ନାହିଁ। ଏପ୍ରିଲରୁ ନୂଆ ରିଟର୍ନ ଫାଇଲିଂ ବ୍ୟବସ୍ଥା ଆରମ୍ଭ ହେଲେ ନିର୍ଦ୍ଧାରିତ ୫ କୋଟିରୁ କମ୍‌ କାରବାର କରୁଥିବା ସଂସ୍ଥାଗୁଡିକ ତ୍ରୈମାସ ଭିତ୍ତିରେ ରିଟର୍ନ ଫାଇଲ କରିବେ। ଏହା ମଧ୍ୟରେ ଜିଏସ୍‌ଟିରେ ପଞ୍ଜୀକରଣ କରିଥିବା ମୋଟ ବାଣିଜି୍ୟକ ସଂସ୍ଥାଙ୍କ ମଧ୍ୟରୁ ପ୍ରାୟ ୭୦% ଆସିଯିବେ ବୋଲି ଜିଏସ୍‌ଟି ନେଟଓ୍ବର୍କର ସିଇଓ ପ୍ରକାଶ କୁମାର କହିଛନ୍ତି।
୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାରବାର କରୁଥିବା ୭% ଟିକସଦାତା ମାସିକ ରିଟର୍ନ ଫାଇଲ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ପରୋକ୍ଷ ଟିକସ ବ୍ୟବସ୍ଥା ଲାଗି ଆଇଟି ଭିତ୍ତିଭୂମି ପ୍ରଦାନ କରୁଥିବା ଜିଏସ୍‌ଟିଏନ୍‌ ନୂଆ ଫର୍ମ ଆଣିବା ଦିଗରେ କାର୍ଯ୍ୟ କରୁଛି। ୫୧%ରୁ ଅଧିକ ଟିକସଦାତା ଏସ୍‌ଏମ୍‌ଏସ୍‌ ଭିତ୍ତିକ ଅନୁପାନଳ ଟୁଲ୍‌ କିମ୍ବା ସହଜ ଟୁଲକୁ ଚୟନ କରିପାରିବେ। ୫ କୋଟି ଟଙ୍କାରୁ କମ୍‌ କାରବାର କରୁଥିବା ଏବଂ ବିଜନେସ ଟୁ କଷ୍ଟମର ନେଣଦେଣ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ। ୨ ବର୍ଷ ପୂର୍ବରୁ ଜିଏସ୍‌ଟି ଲାଗୁ ହୋଇଥିବା ବେଳେ ଏଥିରେ ରହିଥିବା ବିଭିନ୍ନ ଅସୁବିଧା ଲାଗି ସରକାରଙ୍କୁ ବିଭିନ୍ନ କ୍ଷେତ୍ରରୁ ସମାଲୋଚନା କରାଯାଇଛି। ୩ ଥାକିଆ ଅନୁପାଳନ ବ୍ୟବସ୍ଥା ହେଉ କିମ୍ବା ଅନ୍ୟ କେତେକ କ୍ଷେତ୍ରରେ କ୍ଷୁଦ୍ର ସଂସ୍ଥାଗୁଡିକ ଜିଏସ୍‌ଟିକୁ ନେଇ ବିଭିନ୍ନ ଅସୁବିଧା ସାମ୍ନା କରିଛନ୍ତି। କ୍ଷୁଦ୍ର ସଂସ୍ଥାଗୁଡିକର ସମସ୍ୟା ସମାଧାନ ଲାଗି ସରକାର ନୂଆ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତୁତି କରିଛନ୍ତି। ଟିକସ ମାସିକ ଭିତ୍ତିରେ ପ୍ରଦାନ କରାଯିବାକୁ ଥିବା ବେଳେ ସଂସ୍ଥାଗୁଡିକ ୩ ମାସିଆ ରିଟର୍ନ ଫାଇଲ କରିବାକୁ ଯୋଜନା ରଖାଯାଇଛି।

Share