Categories: ଖେଳ

ଏନ୍‌ସିଏ ମୁଖ୍ୟ ଡ୍ରାଭିଡଙ୍କୁ ଭେଟିବେ ଗାଙ୍ଗୁଲି

ନୂଆଦିଲ୍ଲୀ, ୨୯|୧୦(ପି.ଟି.)- ଦୀର୍ଘଦିନ ଧରି ଟିମ୍‌ମେଟ୍‌ ରହିଆସିଥିବା ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ବୁଧବାର ବେଙ୍ଗାଲୁରୁରେ ପରସ୍ପରକୁ ଭେଟିବେ। ଗାଙ୍ଗୁଲି ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଡ୍ରାଭିଡ ନ୍ୟାଶନାଲ କ୍ରିକେଟ୍‌ ଏକାଡେମୀ(ଏନ୍‌ସିଏ)ର ମୁଖ୍ୟ ଅଛନ୍ତି। ଉଭୟେ ଭାରତୀୟ କ୍ରିକେଟ୍‌ର ‘ରୋଡ୍‌ ମ୍ୟାପ୍‌’ ନେଇ ଆଲୋଚନା କରିବେ। ଡ୍ରାଭିଡ ଜୁଲାଇରେ ଏନ୍‌ସିଏର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରତିଷ୍ଠାନ ପାଇଁ ସେ ଇତିମଧ୍ୟରେ ଏକ ‘ରୋଡ୍‌ ମ୍ୟାପ୍‌’ ପ୍ରସ୍ତୁତ କରିସାରିଛନ୍ତି। ଦୁଇ ପୂର୍ବତନ ଅଧିନାୟକ ଯେତେବେଳେ ଭେଟାଭେଟି ହେବେ ସେତେବେଳେ ଗାଙ୍ଗୁଲି କ୍ରିକେଟ୍‌ରେ ଉନ୍ନତି ପାଇଁ ତାଙ୍କ ମନରେ ରହିଥିବା ଚିନ୍ତାଧାରାକୁ ଉପସ୍ଥାପନ କରିବେ। ଗତ ୨୩ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିବା ବିସିସିଆଇର ନବନିର୍ବାଚିତ କର୍ମକର୍ତ୍ତାଗଣ ଏହି ବୈଠକରେ ଉପସ୍ଥିତ ରହିବେ। ଏନ୍‌ସିଏର ସିଇଓ ତୁଫାନ୍‌ ଘୋଷ୍‌ ମଧ୍ୟ ଆଲୋଚନାରେ ଭାଗନେବେ। ଗାଙ୍ଗୁଲି ଓ ଡ୍ରାଭିଡ ଅତୀତରେ ବିସିସିଆଇର ବୈଷୟିକ କମିଟି ବୈଠକରେ କେତେଥର ଏକାଠି ହୋଇଛନ୍ତି। ‘ପ୍ରିନ୍ସ ଅଫ୍‌ କୋଲ୍‌କାତା’ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଡ୍ରାଭିଡ ୧୯ ବର୍ଷରୁ କମ୍‌ ଏବଂ ଭାରତ ଏ’ ଟିମ୍‌ କୋଚ୍‌ ଭାବେ ଏଥିରେ ଯୋଗଦେଇଛନ୍ତି। କହିବାକୁ ଗଲେ, ଭାରତୀୟ କ୍ରିକେଟକୁ ଖେଳାଳି ଯୋଗାଇବା ଲକ୍ଷ୍ୟ ନେଇ ଏନ୍‌ସିଏ ଗଠନ କରାଯାଇଥିଲା। ମାତ୍ର ଏହା ଏକ ରିହାବିଲିଟେଶନ ସେଣ୍ଟରରେ ପରିଣତ ହୋଇଯାଇଛି। ଗାଙ୍ଗୁଲି କିନ୍ତୁ ଏନ୍‌ସିଏକୁ ନୂଆ ରୂପ ଦେବାକୁ ଚାହୁଁଛନ୍ତି। ଏହାକୁ କିପରି କାର୍ଯ୍ୟକାରୀ କରିହେବ, ସେନେଇ ଗାଙ୍ଗୁଲି ଓ ଡ୍ରାଭିଡ ଆଲୋଚନା କରିପାରନ୍ତି ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ପୃଥ୍ବୀ ଶ’ଙ୍କ ଭଳି ଖେଳାଳିଙ୍କ ଲାଗି କରାଯାଇଥିବା ରିହାବିଲିଟେଶନ ପ୍ରୋଗ୍ରାମ୍‌ ସମ୍ପର୍କରେ ନୂଆ ସଭାପତି ହୁଏତ ଜାଣିବାକୁ ଚାହିଁ ପାରନ୍ତି। ପୃଥ୍ବୀ ଶ’ ଡୋପିଂ ପାଇଁ ବାସନ୍ଦ ହେବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାଛଡ଼ା ଯଶ୍‌ପ୍ରୀତ୍‌ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲାଗି ଷ୍ଟ୍ରେନ୍ଥ୍‌ ଏବଂ କଣ୍ଡିଶନିଂ କ୍ୟାମ୍ପ୍‌ ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିପାରନ୍ତି। ଭିଭିଏସ୍‌ ଲକ୍ଷ୍ମଣ ଏବଂ ଭାରତର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ବହୁ ପୂର୍ବତନ ଖେଳାଳି ଏହି ଦୁଇ ସେଲିବ୍ରିଟି ଗାଙ୍ଗୁଲି ଏବଂ ଡ୍ରାଭିଡଙ୍କଠାରୁ ଅନେକ କିଛି ଆଶା କରୁଛନ୍ତି।

Share