Categories: ଖେଳ

ଏନ୍‌ସିଏ ଦାୟିତ୍ୱ ନେଇ ନାହାନ୍ତି ଡ୍ରାଭିଡ

ନୂଆଦିଲ୍ଲୀ, ୨ା୭ (ଏଏଫ୍‌ପି)-ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଜନିତ ସମସ୍ୟା ଯୋଗୁ ରାହୁଲ ଡ୍ରାଭିଡ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର କ୍ରିକେଟମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିପାରୁ ନାହାନ୍ତି। ସେ ଜୁଲାଇ ୧ରେ ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିଥାନ୍ତେ। ଡ୍ରାଭିଡ ବର୍ତ୍ତମାନ ଇଣ୍ଡିଆନ ସିମେଣ୍ଟରେ କାର୍ଯ୍ୟରତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ପଦବୀରେ କାର୍ଯ୍ୟ କରିପାରିବେ ନାହିଁ। ଏହି କାରଣରୁ ପୂର୍ବତନ ଭାରତୀୟ ଅଧିନାୟକ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପରିସରକୁ ଆସୁଛନ୍ତି। ତାଙ୍କୁ ସମ୍ଭବତଃ ଇଣ୍ଡିଆ ସିମେଣ୍ଟରୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ଭଳି ଏକ ପରିସ୍ଥିତିରେ ବିସିସିଆଇ ଏଥିକ୍ସ ଅଫିସର ଡି.କେ. ଜୈନ ଭିଭିଏସ୍‌ ଲକ୍ଷ୍ମଣଙ୍କ ବିରୋଧରେ ଏକ ରୁଲିଂ ଦେଇ ସାରିଛନ୍ତି। ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଲକ୍ଷ୍ମଣ ଏକକାଳୀନ ଦୁଇଟି ପଦବୀରେ ଥିବାରୁ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ଜଣେ ଅନ୍ୟତମ ସଦସ୍ୟ ସଞ୍ଜୀବ ଗୁପ୍ତା ତାଙ୍କ ବିରୋଧରେ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିଲେ। ଗୁପ୍ତା ପୁଣି ଡ୍ରାଭିଡଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି। ଜୁନ୍‌ ୩୦ରେ ସେ ଜୈନ ଏବଂ ବିସିସିଆଇର ପ୍ରଶାସକ କମିଟି(ସିଓଏ) ନିକଟକୁ ଏନେଇ ଏକ ଚିଠି ଲେଖିଛନ୍ତି। କ୍ରିକେଟ ମୁଖ୍ୟ ହିସାବରେ ଡ୍ରାଭିଡ ଜୁନିୟର କ୍ରିକେଟ ପାଇଁ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିବାକୁ ହେବ। ପରବର୍ତ୍ତୀ ପୀଢି ପାଇଁ ଖେଳାଳି ସୃଷ୍ଟି କରିବାକୁ ହେବ। ସେ ଆହୁରି ମଧ୍ୟ ଏନ୍‌ସିଏ ଓ ଜୋନାଲ କ୍ରିକେଟ ଏକାଡେମୀଗୁଡ଼ିକ ଲାଗି କୋଚ୍‌ ନିଯୁକ୍ତି ବ୍ୟତୀତ ଉଦୀୟମାନ ମହିଳା କ୍ରିକେଟମାନଙ୍କ ମନିଟର ଦାୟିତ୍ୱରେ ରହିବେ। ଏହି ମହାନ ବ୍ୟାଟ୍ସମ୍ୟାନ ପୁନଶ୍ଚ ଇଞ୍ଜୁରି କ୍ରିକେଟରଙ୍କ ଲାଗି ଏନ୍‌ସିଏର ରିହାବିଲିଟିଶେନ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ରହିବେ। ନୂଆ ଭୂମିକା ଯୋଗୁ ସେ ଆଉ ପୂର୍ବଭଳି ଭାରତ ‘ଏ’ ଏବଂ ୧୯ ବର୍ଷରୁ କମ୍‌ ଦଳ ସହିତ ଗସ୍ତ କରିପାରିବେ ନାହିଁ। ପୂର୍ବତନ ପେସ୍‌ ବୋଲର ପାରସ ମାହାମ୍ବ୍ରେ ଏବଂ ଅଭୟ ଶର୍ମା ଜୁନିୟର ଟିମ୍‌ର ସହଯୋଗୀ ଷ୍ଟାଫ୍‌ ଭାବେ କାର୍ଯ୍ୟ କରିବେ।

Share