ଏନ୍‌ଏଚ୍‌ରେ ପଡ଼ି ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ

ଘସିପୁରା,୧୧ା୧୦(ଡି.ଏନ.ଏ): ୨୦ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଅକାଳରେ ଯାଉଛି ଅନେକଙ୍କ ଜୀବନ। ଦୁର୍ଘଟଣା ଏଡ଼ାଇବା ପାଇଁ ସଚେତନତା ଠାରୁ ଆରମ୍ଭ କରି ନିୟମ ଉଲ୍ଲଂଘନ ଜରିମାନା ଆଦାୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏସବୁ ଭିତରେ ପ୍ରଶାସନର ଅବହେଳା ପାଇଁ ଦୁର୍ଘଟଣାକୁ ନିମନ୍ତ୍ରଣ ଭଳି ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଜାତୀୟ ରାଜପଥ ଅନ୍ତର୍ଗତ ଗୁରୁତ୍ୱପୂର୍ଣ୍ଣ ଘସିପୁରା ବାଇପାସଠାରେ ଦୀର୍ଘ ମାସ ହେବ ଏକ ଦୁର୍ଘଟଣାଗ୍ରସ୍ତ (ନଂ. ଓଡି-୧୫-ଏଲ-୨୨୬୨) ବିଶିଷ୍ଟ ଟ୍ରକ ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ୨ ମାସ ତଳେ ଶୈଲଙ୍ଗ ପଟୁ ଆସୁଥିବା ଏହି ଟ୍ରକଟି ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏତେ ସମୟ ବିତି ଯାଇଥିଲେ ମଧ୍ୟ ଟ୍ରକଟି ସେହିଭଳି ପୂର୍ବ ଅବସ୍ଥାରେ ପଡ଼ିରହିଛି। ଟ୍ରକ ଯୋଗୁ ଜାତୀୟ ରାଜପଥ ଶଙ୍କୁଚିତ ହୋଇଛି। ଅପରପକ୍ଷେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇଥିବାରୁ ସେହିଠାରେ ଉଭୟପାର୍ଶ୍ୱର ଗାଡ଼ି ଯାତାୟାତ ପାଇଁ ଗୋଟିଏ ପାର୍ଶ୍ୱ ଉପରେ ନିର୍ଭର କରୁଛନ୍ତି। ଏଭଳିସ୍ଥଳେ ଉକ୍ତ ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିବାରୁ ସମ୍ଭାବ୍ୟ ଦୁର୍ଘଟଣା ପରିସ୍ଥିତିକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ମାସମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ଜାତୀୟ ରାଜପଥ ସୁରକ୍ଷା ଦାୟିତ୍ୱରେ ଥିବା ପାଟ୍ରୋଲିଂ ବିଭାଗ କାହିଁକି ଏହି ଗାଡ଼ିକୁ ଜବତ କରୁ ନାହିଁ ସେନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।