ଏଥର ସ୍ନାନମଣ୍ଡପରେ ଦର୍ଶନ କରିବେନି ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୧୬ା୬: ଏଥର ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଗୋବର୍ଦ୍ଧନ ମଠର ପ୍ରବକ୍ତା ମନୋଜ ରଥଙ୍କ ସୂଚନା ମୁତାବକ, ନିକଟରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଣ୍ଠୁ ପ୍ରତିରୋପଣ କରାଯାଇଛି। ବର୍ତ୍ତମାନ ଜଗତଗୁରୁ ରାଜ୍ୟ ବାହାରେ ଅଛନ୍ତି। ଆସନ୍ତା ଜୁଲାଇ ୨ ତାରିଖରେ ପୁରୀ ଫେରିବେ। ତେଣୁ ରଥଯାତ୍ରାରେ ଶିଷ୍ୟ ସାଧକଙ୍କ ସହ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସୂଚନାଥାଉ କି, ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ନାନ ମଣ୍ଡପକୁ ଆସି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁ ନ ଥିଲେ। ୨୦୧୫ ନବକଳେବର ରଥଯାତ୍ରାରେ ପ୍ରଥମ କରି ସ୍ନାନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ୨୦୧୬ରେ ମଧ୍ୟ ଶଙ୍କରାଚାର୍ଯ୍ୟ ସ୍ନାନବେଦିରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିଥିଲେ। ୨୦୧୭ ଏବଂ ୨୦୧୮ରେ ରାଜ୍ୟ ବାହାରେ ଥିବାରୁ ସ୍ନାନଯାତ୍ରାରେ ଦାରୁବିଗ୍ରହଙ୍କୁ ଦର୍ଶନ କରିପାରି ନ ଥିଲେ।