ଏଥର ବାୟୋପିକ୍‌ରେ ଅରିନ୍ଦମ୍‌

ନାୟକ ଅରିନ୍ଦମ୍‌ଙ୍କର ଖୁସି କହିଲେ ନ ସରେ। କାରଣ ନିଜ ଓଲିଉଡ୍‌ କ୍ୟାରିୟରରେ ସେ ପ୍ରଥମଥର ପାଇଁ ଏକ ବାୟୋପିକ୍‌ରେ ଅଭିନୟ କରୁଛନ୍ତି। ଏହି ଓଡ଼ିଆ ସିନେମାର ଟାଇଟଲ ରହିଛି ‘ବାବୁ ଭାଇଜାନ୍‌’। ଏହାର ଟାଇଟଲ ଭୂମିକାରେ ଦେଖାଦେବେ ଅରିନ୍ଦମ୍‌। ଫିଲ୍ମଟିର ଶୁଟିଂ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲୁ ରହିଛି। ଏକ ସତ୍ୟ ଘଟଣା ତଥା ଜଣେ ବିଜ୍‌ନେସ୍‌ମ୍ୟାନଙ୍କ ଜୀବନୀ ଉପରେ ଏହା ଆଧାରିତ, ଆମ ରାଜ୍ୟ ବାଲେଶ୍ୱର ଜିଲାର ଜଣେ ଯୁବକ ବାବୁ। ସେ କିପରି ନିଜ ଉଦ୍ୟମ ବଳରେ ଆଜି ନିଜକୁ କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟସ୍ତରରେ ନିଜକୁ ଜଣେ ସଫଳ ଗାର୍ମେଣ୍ଟ ବିଜ୍‌ନେସ୍‌ମ୍ୟାନ୍‌ ଭାବେ ପରିଚିତ କରାଇପାରିଛନ୍ତି, ତାହା ସିନେମାରେ ଦେଖିବାକୁ ମିଳିବ। ଏହା ଭିତରେ ଲୁଚିରହିଛି ସେହି ପିଲାର ଅନେକ ରୋମାଞ୍ଚକର କଥା। ଯେଉଁ ହାତରେ ସେ ଅ ଆ ଲେଖିବା କଥା ସେହି ହାତରେ କପଡ଼ା କଇଞ୍ଚତ୍ ଧରି କାମରେ ଲାଗିପଡ଼ିଥିଲା। ଗରିବ ଘରେ ଜନ୍ମ, ହେଲେ ମନରେ ଆଶା ଅସୁମାରୀ। ତାହାକୁ ପୁଞ୍ଜିକରି ସେ ଚାଲିଯାଇଥିଲା ଦିଲ୍ଲୀ। ଆଉ ତା’ପରେ ସେ କିପରି ନିଜକୁ ଜଣେ ବିଜ୍‌ନେସ୍‌ମ୍ୟାନ ଭାବେ ପରିଚିତ କରାଇପାରିଛି ତାହା ସିନେମାଟି ଦେଖିଲେ ହିଁ ଜାଣିପାରିବେ। ଖ୍ବାଜା ଗରିବ୍‌ ନଓ୍ବାଜ ପ୍ରଡକ୍ସନ ବ୍ୟାନର୍‌ରେ ଫିଲ୍ମଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା ସହ ପ୍ରଯୋଜନା ଭାର ତୁଲାଉଛନ୍ତି ଆଗଧାଡିର ନାଟ୍ୟକାର ସନ୍ତୋଷ ନାରାୟଣ ଦାସ। ତାପସ ସରଘରିଆ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏବଂ ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ ଏବଂ ଦେବୀଦତ୍ତ ମହାନ୍ତିଙ୍କ ରଚିତ ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ମଳୟ ମିଶ୍ର। ଏଥିରେ ଅରିନ୍ଦମ୍‌ଙ୍କ ଅପୋଜିଟ୍‌ରେ ଅଛନ୍ତି ଚୁଲ୍‌ବୁଲି ଶୀବାନୀ। ଏହି ଯୋଡି ବ୍ୟତୀତ ମିହିର ଦାସ, ଶ୍ରୀତମ ଦାସ, ବବି ମିଶ୍ର, ମନୋଜ ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ପୁଷ୍ପା ପଣ୍ଡା, ସୋମା ହୋତା, ସନ୍ତୋଷ ନାରାୟଣ ଏବଂ ତାପସ ସରଘରିଆ ଅଭିନୟ କରୁଛନ୍ତି। ଚଳିତବର୍ଷ ଦଶହରା ଅବସରରେ ଫିଲ୍ମଟି ପରଦା ଉପରକୁ ଆସିବାର ଯୋଜନା ରହିଛି।

Share