ଏଥର ପ୍ରଥମ କରଓ୍ବାଚୌଥ ପାଳିବେ ଏହି ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର ୧୭ରେ ପଡୁଛି କରଓ୍ବାଚୌଥ ବ୍ରତ। ଏହା ହିନ୍ଦୁ ମହିଳାଙ୍କ ପାଇଁ ଏକ ବିଶେଷ ବ୍ରତ ବୋଲି କୁହାଯାଏ। କାରଣ ଏହିଦିନ ବିବାହିତାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ ରଖିଥାଆନ୍ତି। ବଲିଉଡ୍‌ରେ ମଧ୍ୟ ଏହି କରଓ୍ବାଚୌଥକୁ ନେଇ କିଛି କାହାଣୀ ଦେଖିବାକୁ ମିଳେ। ଏଥର ସେମିତି କିଛି ବଲିଉଡ୍‌ ସେଲିବ୍ରିଟି ରିୟଲ ଲାଇଫରେ ପ୍ରଥମ କରି କରଓ୍ବାଚୌଥ ବ୍ରତ ପାଳନ କରିବାକୁ ଯାଉଛନ୍ତି। ଦୀପିକା ପାଦୁକୋନ ଓ ରଣବୀର ସିଂ ଗତ ବର୍ଷ ନଭେମ୍ବର ୧୪-୧୫ରେ ବିବାହ କରିଥିବା ବେଳେ ଏଥର ଦୀପିକା ପ୍ରଥମ କରି କରଓ୍ବାଚୌଥ ବ୍ରତ ରଖିବେ ବୋଲି ଜଣାପଡିଛି। ସେମିତି ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ପ୍ରଥମ ଥର ଲାଗି କରଓ୍ବାଚୌଥ ବ୍ରତ ପାଳନ କରିବେ। ୨୦୧୮ରେ ନିକ୍‌ ଜୋନସ୍‌ଙ୍କ ହାତ ଧରିଥିବା ପ୍ରିୟଙ୍କା ଏବେ ପ୍ରଥମ ଥର ଲାଗି ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିବାକୁ ଯାଉଛନ୍ତି। କମେଡି କିଙ୍ଗ କପିଲ ଶର୍ମାଙ୍କ ହାତ ଧରିଥିବା ଗିନ୍ନିଙ୍କର ମଧ୍ୟ ଏହା ପ୍ରଥମ କରଓ୍ବାଚୌତ। କାରଣ ଏମାନେ ଗତ ଡିସେମ୍ବରରେ ବିବାହ କରିଥିଲେ। ନୁସରତ ଜହାଁ ଓ ନିଖିଲ ଜୈନଙ୍କ ବିବାହ ଚଳିତ ବର୍ଷ ହୋଇଥିବା ବେଳେ ଏହା ଖୁବ୍‌ ଚର୍ଚ୍ଚାକୁ ଆସିଥିଲା। ଆଉ ଏବେ ନୁସରତ ହୁନ୍ଦୁ ରୀତିନୀତି ଅନୁଯାୟୀ କରଓ୍ବାଚୌଥ ପାଳନ କରିବେ। ପୂଜା ବତ୍ରା ଓ ନବାବ ଶାହଙ୍କ ବିବାହ ଚଳିତ ବର୍ଷ ଜୁଲାଇ ମାସରେ ହୋଇଥିବା ବେଳେ ପୂଜା ଏଥର ତାଙ୍କ ପ୍ରଥମ କରଓ୍ବାଚୌଥ ପାଳନ କରିବେ ବୋଲି ଜଣାପଡିଛି।

Share