ଏଟିଏମ୍‌ ସେବା ଠପ୍‌ : ଅନ୍ୟ ଅଞ୍ଚଳରୁ ଗ୍ରାହକ ଉଠାଉଛନ୍ତି ଟଙ୍କା

ନିରାକାରପୁର,୨୩ା୫(ଡି.ଏନ.ଏ.): ଫନୀ ପରେ ଖୋର୍ଦ୍ଧା ଜିଲା ନିିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ସେବା ଠପ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଏଟିଏମ୍‌ କେନ୍ଦ୍ର ଅଚଳ ହୋଇ ପଡ଼ିଥିବାବେଳେ କେବଳ ୨ଟି କାର୍ଯ୍ୟ କରୁଛି ା ଗ୍ରାହକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅସନ୍ତୋଷ ଦେଖାଦେଇଛି। ବିଭିନ୍ନ ଏଟିଏମ୍‌ କେନ୍ଦ୍ରକୁ ଟଙ୍କା ଉଠାଇବାକୁ ଆସିଥିବା ଗ୍ରାହକମାନେ ଟଙ୍କା ଉଠାଇ ନ ପାରି ନିରାଶ ହୋଇ ଫେରି ଯାଉଥିବା ଅଭିଯୋଗ ହୋଇଛି। ଏଭଳି ସମସ୍ୟା ଯୋଗୁ ଗ୍ରାହକମାନେ ଟଙ୍କା ଉଠାଇବାକୁ ଅନ୍ୟ ଅଞ୍ଚଳ ଯିବାକୁ ବାଧ୍ୟ ହେଉଛନ୍ତି।
ଏ ନେଇ ନିରାକାରପୁରସ୍ଥିତ ଜଣେ ଗ୍ରାହକ ମାନସ ରଞ୍ଜନ ମହାନ୍ତି କହିଥିଲେ, ଆମ ଅଞ୍ଚଳରେ ଥିବା ସମସ୍ତ ଏଟିଏମ୍‌ ବନ୍ଦ ରହିଥିବାରୁ ଆମେ ନାହିଁ ନ ଥିବା ହଇରାଣ ହେଉଛୁ ା ନୟାଗଡ଼ ଓ ବାଲୁଗାଁକୁ ଯାଇ ଟଙ୍କା ଉଠାଇବାକୁ ବାଧ୍ୟ ହେଉଛୁ ା ସ୍ଥାନୀୟ ଅଞ୍ଚଳର ୭ଟି ଏଟିଏମ୍‌ରୁ ମାତ୍ର ୨ଟି କାମ କରୁଥିବାରୁ ଆମେ ଉପଯୁକ୍ତ ସେବା ପାଇପାରୁନାହୁଁ।
ଏଠାରେ ଏଟିଏମ୍‌ କାମ କରୁ ନ ଥିବାରୁ ଖୋର୍ଦ୍ଧା, ବାଲୁଗାଁ ଏଟିଏମ୍‌ରୁ ଆମେ ଟଙ୍କା ଉଠାଉଛୁ। ଚୋରି, ଡକାୟତି ଭୟ ଯୋଗୁ ସାଙ୍ଗରେ ଦୁଇ ଜଣଙ୍କୁ ନେବାକୁ ପଡ଼ୁଛି ବୋଲି ରାକେଶ ପରିଡ଼ା(କାଶୀପୁର)କହିଥିଲେ ା ସେହିପରି କାଶୀପୁରର ଅନ୍ୟ ଜଣେ ଗ୍ରାହକ ବିଦ୍ୟା ସାଗର ପ୍ରଧାନ କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳର ୭ଟି ଏଟିଏମ୍‌ ବନ୍ଦ ହୋଇଯାଇଥିଲା। ଏବେ ମାତ୍ର ୨ଟି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଆମକୁ ଠିକ୍‌ ସେବା ମିଳୁନାହିଁ। ତେଣୁ ଆମେ ଖୋର୍ଦ୍ଧା ଓ କମାଗୁରୁ ଯାଇ ସେଠାରୁ ଟଙ୍କା ଉଠାଇବାକୁ ବାଧ୍ୟ ହେଉଛୁ ା ବରୋଦା ବ୍ୟାଙ୍କ ଏଟିଏମ୍‌ଟି ବନ୍ଦ ରହିଥିବାରୁ ନିରାକାରପୁରସ୍ଥିତ ବରୋଦା ବ୍ୟାଙ୍କ ପରିଚାଳକ ଅଂଶୁମାନ ପଟ୍ଟନାୟକଙ୍କୁ ଉକ୍ତ ସମସ୍ୟା ବିଷୟରେ ପଚାରିଥିଲୁ। ବାତ୍ୟାରେ ବିଦ୍ୟୁତ୍‌ ଓ ଲାଇଟ୍‌ ଅସୁବିଧା ଯୋଗୁ ଏଟିଏମ୍‌ଟି ବନ୍ଦ ରହିଛି ା ଏଇ ଦିନେ ଦୁଇ ଦିନ ମଧ୍ୟରେ ଏଟିଏମ୍‌ଟି କାର୍ଯ୍ୟକ୍ଷମ ହୋଇଯିବ ବୋଲି ପରିଚାଳକ କହିଥିଲେ ା ତେବେ ଏଠାରେ ଏଟିଏମ୍‌ ବ୍ୟତୀତ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ ରହିିଛି, ଯାହାଦ୍ୱାରା ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି।