ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା/ବସ୍ତା, ୧୮।୧୦(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ବଜାରରେ ଥିବା ଏଟିଏମ୍‌କୁ ଦୁର୍ବୃତ୍ତମାନେ ଗୁରୁବାର ରାତିରେ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଶୁକ୍ରବାର ସିଂଲା ଥାନାରେ ପୋଲିସ ଏକ ମାମଲା (ନଂ. ୧୬୪/୧୯) ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ବୃତ୍ତମାନେ ରାତିରେ ଏଟିଏମ୍‌ ଶଟର ଭାଙ୍ଗିବା ସହ ମେଶିନ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଥିଲେ। ମାତ୍ର ଦୁର୍ବୃତ୍ତମାନେ ବିଫଳ ହୋଇ ପଳାଇଥିଲେ। ସକାଳେ ସ୍ଥାନୀୟ ଲୋକେ ଏଟିଏମ୍‌ ଭଙ୍ଗାଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ବାଲେଶ୍ୱର ଏଟିଏମ୍‌ ଅଫିସର ଯାଜପୁର ଜିଲା କୋରେଇ ଥାନା ସାନ୍ତାସାହି ଅଞ୍ଚଳର ରଞ୍ଜନ କୁମାର ବାରିକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବସ୍ତା ଏସ୍‌ଡ଼ିପିଓ ରଣଜିତ୍‌ ପୃଷ୍ଟି, ସିଂଲା ଥାନା ଆଇଆଇସି ସୁବ୍ରତ କୁମାର ବେହେରା, ସାର୍ଥା ଫାଣ୍ଡି ଏଏସ୍‌ଆଇ ଡିଏନ୍‌ ସିଂ ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିବା ଫଟୋକୁ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି।