ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ଗତ ୫ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଫଳରେ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇ ବିଭିନ୍ନ ଏଟିଏମ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବା ପରେ ଶୁକ୍ରବାର ଘଟଣାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ବ୍ୟାଙ୍କର କର୍ମଚାରୀ ଏହି ଘଟଣାରେ ଜଡ଼ିତ ଥିବାର ପ୍ରମାଣ ମିଳିବା ପରେ ପରିଚାଳକ ରାମନାରାୟଣ ମହାନ୍ତି ବନ୍ତ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ଏକ ମାମଲା(ନଂ.୧୨୯/୧୯) ରୁଜୁ କରି ଶନିବାର ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲେ ବାଙ୍ଗୋରପଦୀ ଗ୍ରାମର ଶେଷଦେବ ଜେନା।
ଅଭିଯୋଗ ଅନୁଯାୟୀ, ଗତ କିଛିଦିନ ତଳେ ବ୍ୟାଙ୍କର ବହୁତ ଏଟିଏମ୍‌ କାର୍ଡ ଏବଂ ପିନ୍‌ ନମ୍ବର ଚୋରି ହେବା ସହ ଅନ୍ୟୁନ ୪ ଲକ୍ଷ ୧୫ ହଜାରରୁ ଊଦ୍ଧର୍‌ବ ଟଙ୍କା ଉଠାଣ ହୋଇଥିବା ନେଇ ପରିଚାଳକ ଜାଣିବାକୁ ପାଇଥିଲେ। ପରେ ବ୍ୟାଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଷେଣ୍ଢତୀରା ଓ ବନ୍ତ ଦୁଇଟି ଏଟିଏମ୍‌ର ସିସିଟିଭି ଫୁଟେଜ ଓ ଟ୍ରାଞ୍ଜାକସନ ଡିଟେଲ୍ସକୁ ଯାଞ୍ଚ କରାଯାଇଥିଲା। ବ୍ୟାଙ୍କର ସୁଇପର ଶେଷଦେବ ଏଟିଏମ୍‌ କାର୍ଡ ଚୋରି କରି ଉକ୍ତ ଟଙ୍କା ଉଠାଇଥିବା ଜଣାପଡ଼ିଥିଲା। ସେ ମଧ୍ୟ ଟଙ୍କା ଉଠାଇଥିବା ନେଇ ତଦନ୍ତ ବେଳେ ସ୍ବୀକାର କରିଥିଲେ। ଉଲ୍ଲେଖନୀୟ ଯେ, ପୂର୍ବରୁ ଆକାଉଣ୍ଟ ହୋଲ୍‌ଡରଙ୍କ ନାମରେ ଉକ୍ତ ବ୍ୟାଙ୍କକୁ ଏଟିଏମ୍‌ କାର୍ଡ ଓ ପିନ୍‌ ନମ୍ବର ଆସୁଥିଲା। ଗ୍ରାହକମାନେ ବ୍ୟାଙ୍କରୁ ଏସବୁ ଆଣୁଥିଲେ। ବହୁ ଗ୍ରାହକ ସେମାନଙ୍କର ଏଟିଏମ୍‌ କାର୍ଡ ନେଇ ନ ଥିବାବେଳେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ସେସବୁ ଚୋରାଇ ଟଙ୍କା ଉଠାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।