ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅସ୍ତ୍ରୋପଚାର ଘଟଣା : କ୍ଷତିପୂରଣ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧।୧୧ବ୍ୟୁରୋ) : ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ (ଭିମ୍‌ସାର) ଦନ୍ତ ବିଭାଗରେ ଏଚ୍‌ଆଇଭି ସଂକ୍ରମିତ ଉପରକରଣରେ ୧୨ଜଣ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ଘଟଣା ଏବେ ଜାତୀୟ ମାନବାଧିକା କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ପହଞ୍ଚତ୍ଛି। ଉକ୍ତ ରୋଗୀଙ୍କୁ ୪ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ ସହ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କ ନିକଟରେ ପିଟିଶନ ହୋଇଛି। ମାନବିକ ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି, ଡାକ୍ତର ଜାଣିଶୁଣି ରୋଗୀଙ୍କ ଜୀବନ ସହ ଖେଳ ଖେଳିଛନ୍ତି। ତେଣୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଉ। ଏଥିସହ ଅସ୍ତ୍ରୋପଚାର କରାଯାଇଥିବା ବ୍ୟକ୍ତିଙ୍କୁ ୪ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ହିମାଂଶୁ ତାଙ୍କ ପିଟିଶନ ମାଧ୍ୟମରେ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଅନୁଗୋଳ ଜିଲା ଆଠମଲ୍ଲିକର ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀ ଦୁର୍ଘଟଣାର ଶିକାର ହୋଇ ବୁର୍ଲା ମେଡିକାଲର ସର୍ଜରି ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କର ଦାନ୍ତ ସହ ମୁହଁର କିଛି ହାଡ ଭାଙ୍ଗି ଯାଇଥିଲା। ୨୮ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ବ୍ୟବହୃତ ଉପକରଣକୁ ଆବଶ୍ୟକ ବିଶୋଧନ କରା ନ ଯାଇ ସେଥିରେ ଅନ୍ୟ ୧୨ଜଣ ରୋଗୀଙ୍କୁ ଅସ୍ତ୍ରୋପଚାର କରାଯାଇଥିଲା। ଏମାନଙ୍କ ମଧ୍ୟରେ ବୁର୍ଲା ସହରର ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ମଧ୍ୟ ଥିଲେ। ସନ୍ଧ୍ୟାରେ ବିଭାଗର କେତେଜଣ ଡାକ୍ତରଙ୍କ ସନ୍ଦେହ ହେବାରୁ ସେମାନେ ସର୍ଜରି ଓ୍ବାର୍ଡକୁ ଯାଇ ଉକ୍ତ ରୋଗୀଙ୍କ ରିପୋର୍ଟ ଯାଞ୍ଚ କରିବା ପରେ ତାଙ୍କୁ ଏଚ୍‌ଆଇଭି ହୋଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ମେଡିକାଲର ଡିନ୍‌ ଓ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ।