ଏକୁଟିଆ ଯାତ୍ରା କରୁଥିଲେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ।
ଯାତ୍ରା ସମୟରେ ଯେତେ କମ୍‌ ସାମଗ୍ରୀ ନିଅନ୍ତୁ। ଏକ ଭାରି ସୁଟ୍‌କେସ୍‌ ବଦଳରେ ଦୁଇଟି ହାଲ୍‌କା ବ୍ୟାଗ୍‌ ନିଅନ୍ତୁ।
ବ୍ୟାଗ୍‌, ସୁଟ୍‌କେସ୍‌ ପାଇଁ ତାଲା ଏବଂ ହ୍ୟାଣ୍ଡେଲ ଆଦି ସଜାଡ଼ି ନିଅନ୍ତୁ। ଟ୍ରେନ୍‌ରେ ଯିବା ସମୟରେ ସେଫ୍ଟି ଚେନ୍‌ ରଖନ୍ତୁ। ଆପଣଙ୍କର ଜିନିଷପତ୍ର ଭଲଭାବେ ଲକ୍‌ କରି ରଖନ୍ତୁ।
ଯାତ୍ରା କରିବା ସମୟରେ ଟର୍ଚ୍ଚ, କ୍ୟାଣ୍ଡେଲ, ମ୍ୟାଚିସ୍‌, ମଶା ଦାଉରୁ ରକ୍ଷା ପାଇବା ପାଇଁ କ୍ରିମ୍‌ ବା ମଶାଧୂପ, ତାଲା, ଚାବି ଆଦି ନିଶ୍ଚୟ ନିଅନ୍ତୁ।
ହୋଟେଲ ବାଛିବା ସମୟରେ ବଜେଟ ସହ ଆଖପାଖ ବାତାବରଣ ପ୍ରତି ଧ୍ୟାନରଖନ୍ତୁ। ହୋଟେଲର ଯେଉଁ ରୁମ୍‌ରେ ରହୁଛନ୍ତି ଭିତରୁ ସେଫ୍ଟି ଲକ୍‌ କରନ୍ତୁ। ବାହାରକୁ ଯିବା ସମୟରେ ନିଜ ଲଗେଜକୁ ଲକ୍‌ କରି ଯାଆନ୍ତୁ। କେହି ବାହାରୁ ଡାକୁଥିଲେ ନ ପଚାରି ଡୋର୍‌ ଖୋଲନ୍ତୁ ନାହିଁ।
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏଣେତେଣେ ବୁଲନ୍ତୁ ନାହିଁ। କାରଣ ଉକ୍ତ ସ୍ଥାନ ବିଷୟରେ ଆପଣଙ୍କ ପାଖରେ ବେଶି ଧାରଣା ନାହିଁ।
ସାଙ୍ଗରେ ଅଧିକ କ୍ୟାଶ୍‌ ନେଇ ଯାଆନ୍ତୁ ନାହିଁ। ଟ୍ରାଭେଲ୍ସ ଚେକ୍‌, କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡ ରଖନ୍ତୁ। ସୁନାଗହଣା ଯେତେ ସମ୍ଭବ କମ୍‌ ପିନ୍ଧନ୍ତୁ।
ଆଖପାଖରେ ଯଦି ଆପଣଙ୍କର କେହି ବନ୍ଧୁବାନ୍ଧବ ରହୁଛନ୍ତି ତେବେ ତାଙ୍କ ଫୋନ୍‌ ନମ୍ବର ତଥା ଘର ଠିକଣା ପାଖରେ ନିଶ୍ଚୟ ରଖନ୍ତୁ। ଅତି ଆବଶ୍ୟକ ପଡ଼ିଲେ ଆପଣ ତାଙ୍କ ସାହାଯ୍ୟ ବି ନେଇପାରିବେ।
ସାଙ୍ଗରେ ପିଲାକୁ ନେଇଥିଲେ ପାଖରେ କିଛି ସ୍ନାକ୍ସ, ପାଣି, ଫାଷ୍ଟ୍‌ ଏଡ୍‌ ନେବାକୁ ଭୁଲନ୍ତୁ ନାହିଁ। ବୁଲିବା ସମୟରେ ପିଲା ଉପରେ ନଜର ରଖନ୍ତୁ। ଏକୁଟିଆ ଏଣେତେଣେ ଯିବାକୁ ଦିଅନ୍ତୁ ନାହିଁ।
ପିଲାକୁ ହୋଟେଲର ନାମ, ଠିକଣା ବିଷୟରେ କହିବା ସହ ସାଙ୍ଗରେ କିଛି ଟଙ୍କା ଦେଇଥାନ୍ତୁ। ଯଦି କୌଣସି କାରଣରୁ ପିଲା ଏବଂ ଆପଣ ଅଲଗା ଅଲଗା ହୋଇଗଲେ ତେବେ ସେ ଠିକ୍‌ ସ୍ଥାନରେ ପହଞ୍ଚିପାରିବ।
ଅଜଣା ବ୍ୟକ୍ତି ବା ନୂଆ ନୂଆ ଚିହ୍ନା ହୋଇଥିବା ବ୍ୟକ୍ତିଙ୍କ ସହ ପିଲାକୁ କୌଣସି ସ୍ଥାନକୁ ଛାଡ଼ନ୍ତୁ ନାହିଁ।
ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ମାଗନ୍ତୁ ନାହିଁ। ଆବଶ୍ୟକ ପଡ଼ିଲେ ଟ୍ୟାକ୍ସି କିମ୍ବା ବସ୍‌, ମେଟ୍ରୋ ଟ୍ରେନ୍‌ ଆଦିରେ ଯାଇପାରିବେ।