ଏକାସାଙ୍ଗେ ନଜର ଆସିଲେ ‘୮୩’ର ଟିମ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘୮୩’ ଚଳିତ ବର୍ଷ ଏପ୍ରିଲରେ ପରଦାକୁ ଆସିବ ବୋଲି କୁହାଯାଉଛି। ଏହା ପୂର୍ବରୁ ପ୍ରାୟ ପ୍ରତିଦିନ ଏହି ଫିଲ୍ମର କିଛି ନା କିଛି ପୋଷ୍ଟର ସାମ୍ନାକୁ ଆସୁଛି। ଶନିବାର ରଣବୀର ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କୁ ନେଇ ଏକାସାଙ୍ଗେ ଉଠାଯାଇଥିବା କିଛି ଫଟୋ ଶେୟାର କରିଛନ୍ତି। ସେହି ଫଟୋରେ ୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ରେ ଥିବା ଖେଳାଳିଙ୍କ ଭୂମିକାରେ ନଜର ଆସୁଥିବା ସମସ୍ତ କଳାକାରଙ୍କୁ ଦେଖିବାକୁ ମିଳିଛି। ଏହାସହ ଏକ ବସ୍‌ ମଧ୍ୟ ନଜର ଆସିଛି। ଯେଉଁଥିରେ ଫିଲ୍ମର ପୋଷ୍ଟର ସବୁ ଲାଗିଛି। ଫଟୋରେ ସମସ୍ତ କଳାକାର ଜିନ୍ସ, ହ୍ବାଇଟ୍‌ ସାର୍ଟ ଓ ବ୍ଲେଜର ପିନ୍ଧିଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ କରି ଯେତେବେଳେ ଓ୍ବାର୍ଲଡ କପ୍‌ ବିଜୟୀ ହୋଇଥିଲା ସେହି କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି। କପିଳ ଦେବ କ୍ୟାପଟେନ୍‌ ଥିବା ବେଳେ ଭାରତକୁ ଏହି ବିଜୟ ମିଳିଥିଲା। ଫିଲ୍ମରେ କପିଳଙ୍କ ଭୂମିକାରେ ରଣବୀର ସିଂ ନଜର ଆସୁଥିବା ବେଳେ କପିଳଙ୍କ ସ୍ତ୍ରୀ ରୋମି ଭାଟିଆଙ୍କ ଭୂମୀକାରେ ରଣବୀରଙ୍କ ସ୍ତ୍ରୀ ଦୀପିକା ପାଦୁକୋନ ନଜର ଆସିବେ ବୋଲି କୁହାଯାଉଛି। ଦର୍ଶକେ ଏହି ଫିଲ୍ମକୁ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି।

Share