Categories: ଫୁରସତ

ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ କରିଥିଲେ ଆତ୍ମହତ୍ୟା

ଆମେରିକା : ବେଳେବେଳେ ଏମିତି ଖବର ଶୁଣିବାକୁ ମିଳିଥାଏ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତଥାପି ସତ। ଏମିତି ଏକ ଘଟଣା ୧୯୭୮ ମସିହାରେ ଆମେରିକାରେ ଘଟିଥିଲା। ଗୁୟାନାର ଜୋସ୍‌ଟାଉନରେ ଏକା ସାଙ୍ଗରେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଥିଲେ। ଅନ୍ଧବିଶ୍ୱାସ ଯୋଗୁ ଏହି ଘଟଣା ଘଟିଥିଲା।

୧୯୭୮ ମସିହା ନଭେମ୍ବର ୧୮ରେ ଏହି ଘଟଣାରେ ଜିମ୍‌ ଜୋସ୍‌ ନାମକ ଜଣେ ଧର୍ମଗୁରୁଙ୍କ ହାତ ଥିଲା। ସେ ନିଜକୁ ଭଗବାନ ମନେ କରୁଥିଲେ। ନିଜର ସାମ୍ରାଜ୍ୟ ବଢ଼ାଇବା ପାଇଁ ଲୋକଙ୍କ ସହାୟତାରେ ୧୯୫୬ ମସିହାରେ ପିପୁଲ୍‌ସ ଟେମ୍ପୁଲ ନାମକ ଏକ ଚର୍ଚ୍ଚ ତିଆରି କରିଥିଲେ। ସେ ଧାର୍ମିକ କଥା ଏବଂ ଅନ୍ଧବିଶ୍ୱାସ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ନିଜର ଅନୁଗାମୀ କରିନେଲେ। ସେ ମହିଳା ହୁଅନ୍ତୁ କି ପୁରୁଷ ସମସ୍ତଙ୍କୁ ସାରାଦିନ କାମରେ ଲଗାଉଥିଲେ। ଏପରିକି ରାତିରେ ଯଦି କେହି ଶୋଇବାକୁ ଯାଉଥିଲେ ତାଙ୍କୁ ଶୋଇବାକୁ ଦେଉ ନ ଥିଲେ। ଏହି ସମୟରେ ତାଙ୍କର ସିପାହୀ ଯାଇ ଦେଖୁଥିଲେ କିଏ ଶୋଇଛନ୍ତି ଆଉ କିଏ ଶୋଇନାହାନ୍ତି। ଜିମ୍‌ କମ୍ୟୁନିଷ୍ଟ ବିଚାରଧାରାର ଥିଲେ। ତେଣୁ ସେ ଅନୁଗାମୀଙ୍କ ସହ ଜଙ୍ଗଲରେ ରହୁଥିଲେ। ଏ ସମ୍ପର୍କରେ ଆମେରିକା ସରକାର ଜାଣିନେଲେ।

ଏ କଥା ଜିମ୍‌ ମଧ୍ୟ ଜାଣିନେଲେ। ତେଣୁ ସେ ଅନୁଗାମୀମାନଙ୍କୁ ଏକାଠି ହେବାକୁ କହିଲେ। ସେ କହିଲେ, ଆମେରିକା ସରକାର ଆମକୁ ଗୁଳି କରି ମାରିଦେବାକୁ ଚାହୁଁଛନ୍ତି। ତେଣୁ ଏହା ପୂର୍ବରୁ ଆମେ ପବିତ୍ର ଜଳ ପିଇବା। ଏମିତି କଲେ ଗୁଳିରୁ ମୁକ୍ତି ପାଇଯିବା। ଏହା ପୂର୍ବରୁ ସେ ଏକ ଟବ୍‌ରେ ପାଣି ସହିତ ବିଷ ମିଶାଇ ରଖିଥିଲେ। ଏହି ପାଣିକୁ ଲୋକଙ୍କୁ ପିଇବାକୁ ଦେଇଥିଲେ। ଯେଉଁମାନେ ଏହି ପାଣି ପିଇବାକୁ ମନା କରିଥିଲେ ସେମାନଙ୍କୁ ଜବରଦସ୍ତ ପିିଆଇ ଦିଆଯାଇଥିଲା। ଫଳରେ ୯୦୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା। ମୃତକମାନଙ୍କ ମଧ୍ୟରେ କେବଳ ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ଥିଲେ। ଜିମ୍‌ ନିଜକୁ ଗୁଳି ଚଳାଇବାରୁ ତାଙ୍କର ବି ମୃତ୍ୟୁ ଘଟିଥିଲା। ଏହି ଘଟଣା ଆଜି ବି ଲୋକଙ୍କ ଲୋମ ଟାଙ୍କୁରି ଦେଉଛି। ଏପରି ବଡ଼ ନରସଂହାର ବିଶ୍ୱରେ କେବେ ଘଟିନାହିଁ। କେବଳ ଅନ୍ଧବିଶ୍ୱାସ ଯୋଗୁ ଏତେ ଲୋକଙ୍କ ପ୍ରାଣହାନି ଘଟିଥିଲା। ତେଣୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହେବାକୁ ଏହି ଘଟଣା ସୂଚାଇ ଦେଉଛି।

Share