ଏକାଧିକଥର ଓଡ଼ିଶା ଆସିଥିଲେ ଗାନ୍ଧିଜୀ, ମିଳିଥିଲା ଅନେକ ଭେଟି: ଜାଣନ୍ତୁ ସେ ସମ୍ପର୍କରେ..

ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ । ଯେଉଁଥିପାଇଁ ସେ ସାରା ଦେଶର କୋଣଅନୁକୋଣରେ ବୁଲି ଲୋକଙ୍କୁ ଏକଜୁଟ୍‌ କରୁଥିଲେ । ଏହି ସମୟରେ ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ବିଭିନ୍ନ ଭେଟି ଦେଉଥିଲେ। ସେମିତି ଗାନ୍ଧିଜୀ ଓଡ଼ିଶା ଆସିବା ସମୟରେ ବି ତାଙ୍କୁ ମିଳିଥିଲା ଅନେକ ଶ୍ରଦ୍ଧାର ଭେଟି । ସେ ସମ୍ପର୍କରେ…

ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ସ୍ବପ୍ନକୁ ସାକାର କରିବାଲାଗି ସାରାଦେଶରେ ଗାନ୍ଧିଜୀଙ୍କ ଅଭିଯାନ ଥିଲା ନିଆରା। ତାଙ୍କର ଏହି ଅଭିଯାନରେ ସାମିଲ ହୋଇଥିଲେ ଦେଶବାସୀ। ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ଗାନ୍ଧିଜୀ ଏକାଧିକଥର ଓଡ଼ିଶା ଆସିଥିଲେ ।
ପଦଯାତ୍ରା ସମୟରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହୁଥିବା ବେଳେ ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଆତିଥ୍ୟକୁ ସ୍ମରଣୀୟ କରିବା ପାଇଁ ତାଙ୍କୁ କିଛି ଉପହାର ପ୍ରଦାନ କରାଯାଇଥିଲା । ଯାହା ଗାନ୍ଧିଜୀଙ୍କ ଓଡ଼ିଶାଗସ୍ତ ଅନୁଭୂତି (ମାଇଁ ଓଡ଼ିଶା ଟୁର୍‌) ଲେଖାରୁ ସେତେବେଳର ନବଜୀବନ ପତ୍ରିକା ସହ ବିଭିନ୍ନ ପତ୍ରପତ୍ରିକାରୁ ଜଣାପଡ଼େ।

ଲୋକେ ଅଣା,ପାଉଣା ପାଣ୍ଠିକୁ ଦେଇଥିଲେ:  ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଚାରିବାଟିଆକୁ ୧୯୨୭ ଡିସେମ୍ବର ୧୭ରେ ଗାନ୍ଧିଜୀ ଆସିଥିଲେ। ସେହି ସମୟରେ ବନ୍ୟାରେ ସାରା ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥାଏ। ଏଭଳି ପରିସ୍ଥିତି ଦେଖି ଗାନ୍ଧିଜୀ ଦୁଃଖିତ ହୋଇଥିଲେ । ସେ ଲୋକଙ୍କୁ ସ୍ବାବଲମ୍ବୀ ତଥା ଧୈଯ୍ୟ ସହକାରେ ପରିଶ୍ରମ କରିବା ପାଇଁ କହିଥିଲେ । ସ୍ବଦେଶୀଦ୍ରବ୍ୟ ବ୍ୟବହାର ଏବଂ ବିଦେଶୀଦ୍ରବ୍ୟ ବର୍ଜନ ପାଇଁ ଆହ୍ବାନ ଦେଇଥିଲେ। ମନ୍ତେଇ ନଦୀ କୂଳରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ଗାନ୍ଧିଜୀଙ୍କ ସମେତ ମୀରାବେନ, ମହାଦେବ ଦେଶାଇ, କାକା କାଲେକର, ହରେକୃଷ୍ଣ ମହତାବ, ଚକ୍ରଧର ବେହେରା ଆଦି ସଂଗ୍ରାମୀମାନେ ଆସିଥିଲେ। ସେଦିନ ବାସୁଦେବପୁର ଚାରିବାଟିଆ ଅଞ୍ଚଳର ଲୋକମାନେ ଅଣା, ପାଉଣା ଓ ସୁଉକି ଆଦି ସଂଗ୍ରହକରି ଗାନ୍ଧିଜୀଙ୍କ ପାଣ୍ଠିକୁ ପ୍ରଦାନ କରିଥିଲେ।

ଫଳ ଓ ଟଙ୍କା ପ୍ରଦାନ କରାଯାଇଥିଲା:ଗାନ୍ଧିଜୀ ସବୁଠାରେ ଖଦି ଓ ଅରଟରେ ସୂତାକାଟିବା ପାଇଁ ପରାମର୍ଶ ଦେବା ସହିତ ଲୋକଙ୍କ ଠାରୁ ପାଣ୍ଠି ସଂଗ୍ରହ କରୁଥିଲେ। ଡ. ସତ୍ୟ ଷଡଙ୍ଗୀ କୁହନ୍ତି, ବିଭିନ୍ନ ପତ୍ରପତ୍ରିକାରୁ ମହାତ୍ମା ଗାନ୍ଧୀଙ୍କ ବାଣପୁର ଗସ୍ତ ବିଷୟରେ ଯାହା ଜଣାପଡ଼େ- ସେତେବେଳେ ଅବିଭକ୍ତ ପୁରୀ ଅଞ୍ଚଳର ବାଣପୁରକୁ ଗାନ୍ଧିଜୀ ଆସିଥିଲେ। ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ତାଙ୍କର ସହଯୋଗୀମାନେ ସ୍ଥାପନ କରିଥିବା ଆଶ୍ରମ ସମ୍ମୁଖ ବରଗଛଠାରେ ଏକ ସଭା କରିଥିଲେ। ସେଦିନ ଥିଲା ୧୯୨୭ ମସିହା ଡିସେମ୍ବର ୮ତାରିଖ। ଗାନ୍ଧିଜୀଙ୍କ ଆହ୍ବାନରେ ବାଣପୁର ଆଦିବାସୀମାନେ ବିଭିନ୍ନ ଫଳଆଣି ଗାନ୍ଧିଜୀଙ୍କୁ ଉପହାର ଦେଇଥିଲେ ଏବଂ ବାଣପୁର ଜନସାଧାରଣ ୨୨୫ଟଙ୍କା ସଂଗ୍ରହକରି ପାଣ୍ଠିକୁ ପ୍ରଦାନ କରିଥିଲେ। ଗାନ୍ଧିଜୀଙ୍କ ପରାମର୍ଶରେ ବାଣପୁରରେ ଅରଟକେନ୍ଦ୍ର ଖୋଲାଯାଇଥିଲା।

ସତ୍ୟଭାମା ପୁରରେ ଗାନ୍ଧିଜୀ:୧୯୩୪ ମସିହା ମେ ୨୩ ତାରିଖରେ ବାପୁଜୀ ଛତିଆ ଚମ୍ପାପୁର ଦେଇ ପଦଯାତ୍ରାରେ ଆସି ସାଲେପୁରର ଲେଖନପୁରରେ ପହଞ୍ଚି ଥିଲେ। ଏହି ଗ୍ରାମର କପିଳ ମଲ୍ଲିକଙ୍କ ଘରେ ଅବସ୍ଥାନ କରିଥିଲେ। ସେହି ସ୍ମୃତିକୁ ମନେପକାଇବା ପାଇଁ ବାପୁଜୀ ବିଦ୍ୟାପୀଠ ପ୍ରତିଷ୍ଠା ହୋଇଛି। ସେହିପରି ଗାନ୍ଧିଜୀ ପଦଯାତ୍ରାରେ ସତ୍ୟଭାମାପୁରକୁ ଆସିଥିବା ବେଳେ ଏଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କୋଠାରେ ବିଶ୍ରାମ ନେଇଥିଲେ। ଏଠାକୁ ସେତେବେଳେ ରମାଦେବୀ ଆସିଥିଲେ। ଏହାପରେ ଗାନ୍ଧିଜୀ ବହୁଗ୍ରାମ ଆସି ଦଶହରା ପଡ଼ିଆରେ ଏକ ସଭା କରିଥିଲେ । ସଭା ପୂର୍ବରୁ ସେ ସ୍ଥାନୀୟ ଅଞ୍ଚଳର ନଖି ଭଣ୍ଡାରିଙ୍କ ଦ୍ୱାରା ଖିଅର ହୋଇଥିଲେ। ଶିଶୁଆ ଠାରେ ଥିବା ଡାକବଙ୍ଗଳାରେ ଅବସ୍ଥାନକରି ଏଠାରୁ ସେ ନିଶ୍ଚିନ୍ତକୋଇଲି ଯାଇଥିଲେ। ଏହି ଅଞ୍ଚଳର ବହୁ ସ୍ବାଧୀନତା ସଂଗ୍ରାମୀ ଗାନ୍ଧିଜୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ।

ସୁଉକି, ଅଣା, ପାହୁଲା ସଂଗ୍ରହ ହୋଇଥିଲା: ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଅନ୍ୟ ଏକ ଅନ୍ତୁଡ଼ିଶାଳ ଯାଜପୁରର ବରୀ। ଏଠାକୁ ଗାନ୍ଧିଜୀ ଆସିଥିବାବେଳେ ପ୍ରତିଛକରେ ବୈଠକ କରି କୁଟିଖାଅ କାଟି ପିନ୍ଧ କହୁଥିଲେ । କାଇପଡ଼ାର ସ୍ବାଧୀନତା ସଂଗ୍ରାମୀ ଦଧୀଚି ସାହୁ କୁହନ୍ତି, ମୋତେ ସେତେ ବେଳେ ୧୦ବର୍ଷ ହୋଇଥିଲା ଗାନ୍ଧିଜୀଙ୍କୁ ଦେଖିଥିଲି। ଗାନ୍ଧିଜୀଙ୍କ ପଛେପଛେ ଦୌଡ଼ୁଥିଲୁ। ଏବେ ଆମ ଅଞ୍ଚଳର କେତେକ ସ୍ଥାନ ଗାନ୍ଧୀଛକ ଭାବେ ପରିଚିତ। ବରୀ ଅଞ୍ଚଳର ରାମଚନ୍ଦ୍ରପୁର ଶିକ୍ଷାୟତନର ଶୁଭାରମ୍ଭ ସେ କରିଥିଲେ। ତେବେ ସ୍ବାଧୀନତା ଆନ୍ଦୋଳନ ପାଇଁ ଗାନ୍ଧିଜୀଙ୍କ ପାଣ୍ଠିକୁ ଆମ ଅଞ୍ଚଳରୁ ସୁଉକି, ଅଣା, ପାହୁଲା ସଂଗ୍ରହକରି ଦେଇଥିଲୁ।

ଛେଳିକ୍ଷୀର ପାନ କରିଥିଲେ: ୧୯୨୮ମସିହା ଡିସେମ୍ବର ୨୩ରେ ଗାନ୍ଧିଜୀ ସମ୍ବଲପୁରକୁ ଆସିଥିଲେ। ସେତେବେଳେ ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ଅନନ୍ତ ଶଯ୍ୟା ମନ୍ଦିର ପାର୍ଶ୍ୱରେ ଥିବା ଘରେ ସେ ରହିଥିଲେ। ସେହି ସମୟରେ ସେ ମହାନଦୀ ବାଲିରେ ଏକ ସଭା କରିଥିଲେ। ଖଦି କପଡ଼ା ବିକ୍ରିରୁ ସେଦିନ ୬୦୦ରୁ ଊର୍ଦ୍ଧ୍ୱ ଟଙ୍କା ପାଣ୍ଠି ପାଇଁ ସଂଗ୍ରହ ହୋଇଥିଲା। ସନ୍ଧ୍ୟା ବେଳେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ମହିଳାମାନେ ଯୋଗଦେଇଥିଲେ। ଏହି ସଭାରେ ସେତେବେଳେ ୧୭୯୦ ରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ ହୋଇଥିଲା। ସଭାରେ କସ୍ତୁରବା ଗାନ୍ଧୀ ଯୋଗ ଦେଇଥିଲେ। ଦେବଦାସ ଗାନ୍ଧୀ ଓ ସଚିବ ମଧ୍ୟ ଆସିଥିଲେ। ସମ୍ବଲପୁର ରହଣି ସମୟରେ ଚନ୍ଦ୍ରଶେଖର ବେହେରାଙ୍କ ଅନୁରୋଧକ୍ରମେ ସମାରୁ ଟାଙ୍ଗଓ୍ବାଲା କିଛି ଛେଳିକ୍ଷୀର ସଂଗ୍ରହକରି ଗାନ୍ଧିଜୀଙ୍କ ପାଇଁ ଦୁଗ୍ଧପାନର ବ୍ୟବସ୍ଥା କରିଥିଲେ। ଦ୍ୱିତୀୟ ଥର ୧୯୩୪ ମସିହା ମେ ୫ରେ ସମ୍ବଲପୁର ଗସ୍ତରେ ଗାନ୍ଧିଜୀ ଆସିଥିଲେ । ପଦଯାତ୍ରାରେ ଅସ୍ପୃଶ୍ୟତା ନିରାକରଣ ବାର୍ତ୍ତା ନେଇ ଲୋକଙ୍କୁ ବୁଝାଇଥିଲେ।
ବାଉଁଶବାଡ଼ି ପ୍ରଦାନ କରାଯାଇଥିଲା । ୧୯୩୭ରେ କର୍ନାଟକର ହୁବୁଲି ଠାରେ ଗାନ୍ଧୀ ସେବାସଂଘର ତୃତୀୟ ଅଧିବେଶନ ପରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ହୋତା ପ୍ରମୁଖ ଓଡ଼ିଶାରେ ପରବର୍ତ୍ତୀ ଅଧିବେଶନ କରିବା ପାଇଁ ଗାନ୍ଧିଜୀଙ୍କୁ ପ୍ରସ୍ତାବ ଦେଇଥିଲେ । ଗାନ୍ଧିଜୀଙ୍କ ଅନୁମତି ପାଇବାପରେ ଗୋପବନ୍ଧୁ ଚୌଧୁରୀଙ୍କ ବରୀ ଆଶ୍ରମ ଓ କୃପାସିନ୍ଧୁ ହୋତାଙ୍କ ବେରବୋଇ ଆଶ୍ରମ କଥା ଉଠିଥିଲା। ପୁରୀର ଡେଲାଙ୍ଗ ଅଞ୍ଚଳର ବେରବୋଇରେ ୪ର୍ଥ ସର୍ବଭାରତୀୟ ଅଧିବେଶନ ବସିଥିଲା। ଏହି ଅଧିବେଶନରେ ବିଭିନ୍ନ ପ୍ରଦେଶରୁ ସ୍ବାଧୀନତା ସଂଗ୍ରାମୀମାନେ ଯୋଗଦେଇଥିଲେ। ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଥିଲା। ନିଷ୍ପତ୍ତି ହୋଇଥିଲା ଯେ ଅଧିବେଶନର ୧୦ମାଇଲ ଅଞ୍ଚଳ ଭିତରେ କରାଯାଇଥିବା ପନିପରିବା ଓ ଖାଦ୍ୟ ସାମଗ୍ରୀଗୁଡ଼ିକ ଏଠାରେ ବ୍ୟବହାର କରାଯିବ । ସେଥିପାଇଁ ବିଭିନ୍ନ ଗ୍ରାମକୁ ଯାଇ ଚାଷୀମାନଙ୍କୁ କୁହାଗଲା ସେମାନେ ପନିପରିବା ଚାଷ ଓ ଗୋପାଳନ କରିବେ। ଏପରି କି ସେତେବେଳେ ଡେଲାଙ୍ଗ ରେଳଷ୍ଟେଶନରେ ଏକ୍ସପ୍ରେସ ଟ୍ରେନ ରହଣିର ସୁବିଧା ନ ଥିଲା। ମାତ୍ର ଇଂରେଜ ଶାସନାଧୀନ ବେଙ୍ଗଲ -ନାଗପୁର ରେଲ୍‌ଓ୍ବେ (ବିଏନଆର) ଗାନ୍ଧିଜୀଙ୍କ ସମ୍ମାନାର୍ଥେ ଏହାର ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ୧୯୩୮ମାର୍ଚ୍ଚ ୨୫ ତାରିଖରେ ସକାଳ ୭ଟା ସମୟରେ ହାଓଡ଼ା-ପୁରୀ ଏକ୍ସପ୍ରେସ ଟ୍ରେନରେ ଗାନ୍ଧିଜୀ ଆସୁଥିଲେ । ରେଳ କର୍ତ୍ତୃପକ୍ଷ ବେରବୋଇ ଗାଁ ମଝିରେ ଏକ ଅସ୍ଥାୟୀ ରେଳଷ୍ଟେଶନ କରିବା ସହ ସେଠାରେ ଆଗରୁ କାଠରେ ପାହାଚ ତିଆରି କରିଥିଲେ। ମାର୍ଚ୍ଚ ୨୫ତାରିଖରୁ ୩୧ଯାଏ ବେରବୋଇର ବ୍ରହ୍ମେଶ୍ୱର ପୋଖରୀ ହୁଡ଼ାରେ ନିର୍ମିତ ଅସ୍ଥାୟୀ ନଡ଼ାଛପର ଘରେ ଗାନ୍ଧିଜୀ ସାତଦିନ ବିତାଇଥିଲେ। ତାଙ୍କ ସାଥିରେ ଥିଲେ କସ୍ତୁରବା ଗାନ୍ଧୀ, ପୁତ୍ର ମଣିଲାଲ, ପୁତ୍ରବଧୂ ସୁଶୀଳା, ନାତି ଅରୁଣ ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ରମାଦେବୀ, ମୌଲାନା ଆବୁଲ କାଲାମ ଆଜାଦ୍‌, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ବିନୋଦ କାନୁନ୍‌ଗୋ, ଅନ୍ନପୂର୍ଣ୍ଣା ମହାରଣା ପ୍ରମୁଖ ସ୍ବାଧୀନତାସଂଗ୍ରାମୀଗଣ। ଗାନ୍ଧିଜୀ ପ୍ରାତଃ ଭ୍ରମଣ ସମୟରେ ସେଠାରେ ପଡ଼ିଥିବା ଏକ ବାଉଁଶକୁ ଦେଖୁଥିବାବେଳେ ତାହା ଆଚାର୍ଯ୍ୟ ହରିହରଙ୍କ ନଜରରେ ପଡ଼ିଥିଲା। ପରେ ଆଚାଯର୍‌ୟ ହରିହର ଗାନ୍ଧିଜୀଙ୍କୁ ଏକ ସୁନ୍ଦର ବାଉଁଶ ବାଡ଼ିଟିଏ ପ୍ରଦାନ କରିଥିଲେ। ବେରବୋଇ ସମ୍ମଳନୀରେ ଶହଶହ ମହିଳା ଓ ପୁରୁଷ ଗାନ୍ଧିଜୀଙ୍କ ଭାଷଣ ଶୁଣି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ୧୯୪୨ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂରେଜ ସରକାର ଏହି ଆଶ୍ରମକୁ ବେଆଇନ ଘୋଷଣା କରିବା ସହ କୃପାସିନ୍ଧୁ ହୋତାଙ୍କୁ ଗିରଫ କରିଥିଲେ। ତା’ପରେ ଆଶ୍ରମ ପରିଚାଳନା ଦାୟିତ୍ୱରେ ଥିବା ସୁନାମଣି ଦେବୀ ସହ ଅନ୍ତେବାସୀଙ୍କୁ ଗିରଫ କରାଯାଇଥିଲା। ସମୟକ୍ରମେ ଅଞ୍ଚଳବାସୀଙ୍କ ଅନୁରୋଧରେ କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ ପକ୍ଷରୁ ୧୯୭୨ରେ ଗ୍ରାମସେବାକେନ୍ଦ୍ର ନାମରେ ଏଠାରେ ଏକ ଆଶ୍ରମ ସ୍ଥାପିତ ହୋଇଛି।

ଅ, ଆ ଶିଖିଥିଲେ: ୧୯୪୩ ମସିହା ମେ ୩୦ରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଧୂମାତ୍‌ ଗାଁରେ ଗାନ୍ଧିଜୀଙ୍କୁ ସଂକୀର୍ତ୍ତନମେଳାରେ ସ୍ବାଗତ କରାଯାଇ ଭକ୍ତବିଳାସ ମଠ ପଡ଼ିଆକୁ ଅଣାଯାଇଥିଲା। ଏଠାରେ ସ୍ବଦେଶୀଦ୍ରବ୍ୟ ବ୍ୟବହାର ପାଇଁ ଏକ ସଭା କରାଯାଇଥିଲା। ଭକ୍ତବିଳାସ ମଠରେ ଗୋଟିଏ ରାତି ଗାନ୍ଧିଜୀ ରହିଥିଲେ। ଏଠାରେ ମଙ୍ଗଳା ସେନ୍‌ ଓ ରମାଦେବୀ ଗାନ୍ଧିଜୀଙ୍କୁ ଓଡ଼ିଆରେ ଅ,ଆ ଶିଖାଇଥିଲେ। ଅରଟ କେନ୍ଦ୍ର ଖୋଲାଯାଇଥିଲା।

କଟକରେ ସୁନା ଅଳଙ୍କାର ପ୍ରଦାନ କରାଯାଇଥିଲା: ୧୯୨୧ ମାର୍ଚ୍ଚ ୨୩ରେ ଗାନ୍ଧିଜୀ ପ୍ରଥମେ କଟକ ଆସିଥିଲେ। କାଠଯୋଡ଼ି ନଦୀ ତଟରେ ବିରାଟ ସଭା କରିଥିଲେ। ବହୁସଂଖ୍ୟକ ମହିଳା, ପୁରୁଷ ଯୋଗ ଦେଇଥିଲେ। ଏହି ସଭାରେ ଗାନ୍ଧୀଙ୍କ ଅନୁଗ୍ରହ ପାଇ ସେମାନେ ନିଜ ଗହଣା ଭାରତର ସ୍ବତନ୍ତ୍ରତା ସଂଗ୍ରାମ ପାଇଁ ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ। ପୁନର୍ବାର ସେ ୧୯୪୬ ଜାନୁୟାରୀ ୨୦ରେ ସ୍ବରାଜ ଆଶ୍ରମକୁ ଆସିଥିଲେ।

ସମୂହ ପଂକ୍ତି ଭୋଜନ କରିଥିଲେ:
୧୯୩୪ ମସିହା ମେ ୧୩ରୁ ୧୫ ତାରିଖ କୁଆଖାଇ, କୁଶଭଦ୍ରା ନଦୀପାର୍ଶ୍ୱସ୍ଥ ବାଲିଅନ୍ତା ହାଟ ପଡ଼ିଆ ଆମ୍ବ ତୋଟାରେ ସହଯୋଗୀମାନଙ୍କ ସହ ଗାନ୍ଧିଜୀ ରହିଥିଲେ। ନିକଟସ୍ଥ କୁଞ୍ଜବିହାରୀ ମନ୍ଦିରରେ ହରିଜନମାନଙ୍କୁ ପ୍ରବେଶ କରାଇ ସମୂହ ପଂକ୍ତି ଭୋଜନ କରିଥିଲେ। ସେହିପରି ଗାନ୍ଧିଜୀ ପୁରୀରୁ କଟକର ଦେବୀଗଡ଼ାକୁ ପଦାଯାତ୍ରାବେଳେ ଗୋଟିଏ ଦିନ ତେଲେଙ୍ଗାପେଣ୍ଠ ଠାରେ ରହିଥିଲେ ଏବଂ ସ୍ବଦେଶୀ ବ୍ୟବହାର ସମ୍ପର୍କରେ ଆହ୍ବାନ ଦେଇଥିଲେ। ଭଦ୍ରକ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତ୍‌ସିଂହପୁର, ବୋଲଗଡ଼, ବ୍ରହ୍ମପୁର, ପୁରୀ, ହରେକୃଷ୍ଣପୁର, ଚନ୍ଦନପୁର, ସାକ୍ଷୀଗୋପାଳ କାଦୁଆ ଆଶ୍ରମ, ଦାଣ୍ଡମୁକୁନ୍ଦପୁର, ବାଳକାଟୀ, ବାଲିଅନ୍ତାରେ ସ୍ବଦେଶୀ ଦ୍ରବ୍ୟ ବ୍ୟବହାର, ହସ୍ତଶିଳ୍ପ, ଗୋପାଳନକୁ ଗୁରୁତ୍ୱ ଦେଇଥିଲେ। ଏଥିରେ ଉତ୍କଳମଣି ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ଚନ୍ଦ୍ରଶେଖର ବେହେରା, ରମାଦେବୀ, ନବକୃଷ୍ଣ ଚୌଧୁରୀ ପ୍ରମୁଖ ସାମିଲ ଥିଲେ। ଏତଦ୍‌ ବ୍ୟତୀତ ଗାନ୍ଧିଜୀ ଓଡ଼ିଶାର ଆଉ କେତେକ ସ୍ଥାନକୁ ମଧ୍ୟ ଆସିଥିଲେ। ଏ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

– ବନବିହାରୀ ବେହେରା
ସହାୟତା:କିଶୋର ମହାପାତ୍ର, ନୀଳମାଧବ ସାହୁ, ଅରବିନ୍ଦ ଭୂୟାଁ


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri