ଏକାଠି ହୋଇ କାର୍ଯ୍ୟକଲେ ତୃଣମୂଳସ୍ତରରେ ଏଡ୍‌ସ ଦୂରୀକରଣ ସମ୍ଭବ: ଜିଲାପାଳ

ରାୟଗଡ଼ା ଅଫିସ,୧।୧୨: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ସକାଳେ ରାୟଗଡ଼ା କଲେଜଠାରୁ ଏକ ଶୋଭାଯାତ୍ରା ବାହାରି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ପରେ ଚିକିତ୍ସାଳୟରେ ଏକ ବୈଠକ କରାଯାଇ ସଚେତନ କରାଯାଇଛି। ଏଡ୍‌ସ ରୋଗୀଙ୍କୁ ବାସନ୍ଦ କରିବା ନାହିଁ, ମାନବିକ ଅଧିକାର ଦେବା, ସମବେଦନା ଜଣାଇବା, ଗୋଷ୍ଠୀ ହିଁ ପରିବର୍ତ୍ତନର ନିର୍ମାତା, ଗୋଷ୍ଠୀ ହୋଇ କାର୍ଯ୍ୟକଲେ ତୃଣମୂଳସ୍ତରରେ ଏଡ୍‌ସ ଦୂରୀକରଣ ସମ୍ଭବ ବୋଲି ଜିଲାପାଳ କହିଛନ୍ତି । ଏହା ସହ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର କରାଯାଇଥିଲା। ଏଥିରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲା ପବ୍ଲିକ୍‌ ହେଲଥ ଅଫିସର ଡ. ମମତା ଚୌଧୁରୀଙ୍କ ସମେତ ରାୟଗଡ଼ା ଅଞ୍ଚଳର ବିଭିନ୍ନ କଲେଜ ଛାତ୍ରୀଛାତ୍ର ଯୋଗଦେଇଥିଲେ।