ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳା ଉଦ୍‌ଘାଟିତ, ଗୀତା ପଠନ ଶ୍ରେଷ୍ଠ ଅଭ୍ୟାସ: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ୍‌, ୧୬।୧: ସାରା ବିଶ୍ୱରେ ୪ ପ୍ରକାର ପୁସ୍ତକ ପ୍ରକାଶ ପାଉଛି। ସେଗୁଡିକ ବିଶେଷକରି ପରିଚାଳନା, ସମ୍ବନ୍ଧ, ବନ୍ଧୁତ୍ୱର ଗୁଣାତ୍ମକ ବିକାଶ ଓ ଆତ୍ମବିକାଶ ଉପରେ ଆଧାରିତ ବୋଲି ବୁଧବାର ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳା ଉଦ୍‌ଘାଟନୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଜିଲାପାଳ ତଥା ଜଗତ୍‌ସିଂହପୁର ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର ପୌରୋହିତ୍ୟ କରିଥିଲେ। ଏଥିରେ ମୁଖ୍ୟଅତିଥି ତାଙ୍କ ଭାଷଣରେ ୪ ପ୍ରକାର ବହି ଉପରେ ବର୍ଣ୍ଣନା କରିବା ସହ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ସମଗ୍ର ବିଶ୍ୱରେ ମହାଭାରତଠାରୁ ବଡ଼ ପରିଚାଳନା କିଛି ନାହିଁ। ନିଜକୁ ନିଜେ ଠିକ୍‌ ଭାବେ ପରିଚାଳିତ କରିପାରିବା ହେଉଛି ବଡ଼ କଥା। ଏହାକୁ ଆୟୁଧ କରି ନିଜ ଭିତରେ ଥିବା ଅଳସପଣିଆ, ଅହଙ୍କାର ଓ ଆଶକ୍ତିକୁ ଭାଜନ କରିବାକୁ ପଡ଼ିବ। ସେହିପରି ପ୍ରତ୍ୟହ ଗୀତା ପଠନ କରିବା ଶ୍ରେଷ୍ଠ ଅଭ୍ୟାସ ବୋଲି ସେ ବକ୍ତବ୍ୟରେ କହିଥିଲେ। ଏଥିସହ ମା’ଙ୍କୁ କିପରି ସମ୍ମାନ କରାଯାଇ ପାରିବ ସେ ସମ୍ପର୍କରେ ରାମାୟଣରେ ଖୁବ୍‌ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଥିବା ରାଜ୍ୟପାଳ କହିଥିଲେ। ଏଥିସହ ସେ ବଶିଷ୍ଠଙ୍କୁ ବଡ଼ ବହି ସହ ତୁଳନା କରିଥିଲେ। ସେ କହିଥିଲେ, ବଶିଷ୍ଠ ରାମଙ୍କୁ କହିଥିଲେ ଯେ, ମା’ କେବେ କୁମାତା ହୋଇପାରିବ ନାହିଁ। ଏହି ଶିକ୍ଷା ରାମଙ୍କ ଜୀବନରେ ବହୁ ଗୁରୁତ୍ୱ ବହନ କରିଥିଲା, ଯେଉଁ କାରଣରୁ କୈକେୟୀଙ୍କୁ ରାମଚନ୍ଦ୍ର ବହୁ ସମ୍ମାନ ଦେଉଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲାର ଗରିମା କଥା ବଖାଣିଥିଲେ। ଏହି ଉପଲକ୍ଷେ ସକାଳେ ମା’ ଶାରଳା ଜ୍ୟୋତି ସ୍ଥାପନ କରାଯାଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।