Categories: ଖେଳ

ଏଏଫ୍‌ସି ଏସିଆନ କପ୍‌ ମହିଳା ଫୁଟବଲର ଉନ୍ନତି ସହାୟ ହେବ: ମେମୋଲ

ନୂଆଦିଲ୍ଲୀ,୬।୬(ପି.ଟି.): ଭାରତରେ ୨୦୨୨ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ମହିଳା ଏସିଆନ୍‌ କପ୍‌ ଫୁଟବଲ ଆୟୋଜନ ହେବ। ଘରୋଇ ଦର୍ଶକଙ୍କ ସାମ୍ନାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଲେ ଭାରତୀୟ ଫୁଟବଲର ବିକାଶ ହୋଇପାରିବ। ଏହା ଦ୍ୱାରା ଭାରତୀୟ ମହିଳା ଫୁଟବଲର ବିକାଶ ହୋଇପାରିବ ବୋଲି ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ୍ବେବ୍‌ସାଇଟ୍‌ରେ ଜାତୀୟ ମହିଳା ଫୁଟବଲର ଦଳର କୋଚ୍‌ ମେମୋଲ ରକି କହିଛନ୍ତି।
୧୯୭୯ ପରେ ପ୍ରଥମଥର ପାଇଁ ଭାରତରେ ମହିଳା ଏସିଆନ୍‌ କପ୍‌ ୨୦୨୨ ଫାଇନାଲ୍ସ ଆୟୋଜନ ହେବାକୁ ଯାଉଛି। ଭାରତରେ ଏଭଳି ବଡ଼ ଟୁର୍ନାମେଣ୍ଟ ଆୋୟାଜନ ହେବାକୁ ଯାଉଥିବାରୁ ବହୁତ ଖୁସି ଅଛି ବୋଲି ସେ କହିଛନ୍ତି। ଦୀର୍ଘ ବର୍ଷ ପରେ ଭାରତକୁ ଏସିଆନ୍‌ କପ୍‌ ଆଣିଥିବାରୁ ଏଆଇଏଫ୍‌ଏଫ୍‌କୁ ଧନ୍ୟବାଦ ଦେଉଛି। ଏହି ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଆମ ପାଖରେ ଏବେ ଆଉ ଦେଢ ବର୍ଷ ରହିଛି। ଏହି ମେଗା ଇଣ୍ଟେରେ ଭଲ ପ୍ରଦର୍ଶନ କରିବୁ ବୋଲି ମେମୋଲ ଆଶା ପ୍ରକାଶ କରିଛନ୍ତି।
ଭାରତରେ ମହିଳା ଫୁଟବଲର ବିକାଶ ହେଉଛି ଓ ଏହା ସମସ୍ତଙ୍କୁ ଜଣାଅଛି। ଏସିଆର କେତୋଟି ଶ୍ରେଷ୍ଠ ଦେଶ ବିପକ୍ଷରେ ଭାରତ ଏହି ଟୁର୍ନାମେଣ୍ଟରେ ଖେଳିବ ଓ ପ୍ରଶଂସକମାନେ ଏହା ଭରପୂର ମଜା ନେବେ ବୋଲି ସେ କହିଛନ୍ତି। ଜାପାନ, ଅଷ୍ଟ୍ରେଲିଆ, କୋରିଆ, ଚାଇନା ବିପକ୍ଷରେ ଭାରତୀୟ ମହିଳା ଦଳ ଷ୍ଟାଡିୟମରେ ଖେଳିବ। ଏହାଦ୍ୱାରା ବାଳିକା ଫୁଟବଲରମାନେ ବେଶ୍‌ ଉତ୍ସାହିତ ହେବେ। ମୋଟାମୋଟି ଉପରେ ଦେଶରେ ମହିଳା ଫୁଟବଲର ବିକାଶ ହେବ ବୋଲି ସେ କହିଛନ୍ତି।
ଭାରତୀୟ ମହିଳା ଦଳ ଏବେ ବିଶ୍ୱର ୫୫ ନମ୍ବର ସ୍ଥାନରେ ରହିଛି। ୨୦୧୯ ସାଉଥ୍‌ ଏସିଆନ ଗେମ୍ସରେ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ଓ ଉଜ୍‌ବେକିସ୍ତାନ ଓ ଭିଏତ୍‌ନାମ ଭଳି ଉଚ୍ଚ ର଼୍ୟାଙ୍କର ଦଳ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଏହି ଟୁର୍ନାମେଣ୍ଟରେ ଖେଳିଲେ ଆମର ସ୍ବପ୍ନ ସାର୍ଥକ ହେବ ବୋଲି ଭାରତୀୟ ଅଧିନାୟିକା ଆଶାଲତା ଦେବୀ କହିଛନ୍ତି। ଅଶାଲତା ଏଏଫ୍‌ସି ଓମ୍ୟାନ ଫ୍ଲେୟାର ଅଫ୍‌ ଦି ଇୟର ୨୦୧୯ ପୁରସ୍କାର ପାଇଁ ଅନ୍ୟ ଦୁଇଜଣଙ୍କ ସହ ନୋମିନେଟ ହୋଇଛନ୍ତି। ଏଭଳି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଭାରତରେ ଆୟୋଜନ ହେବାକୁ ଯାଉଥିବାରୁ ସେ ଏଆଇଏଫ୍‌ଏଫ୍‌ ଓ ମହିଳା କମିଟିକୁ ଧନ୍ୟବାଦ ଜଣାଇଛନ୍ତି। ଗୋଲ କିପର ଆଦିତି ଚୌହାନ ମଧ୍ୟ ଏହି ଟୁର୍ନାମେଣ୍ଟ ନେଇ ବେଶ୍‌ ଉତ୍ସାହିତ ଥିବା କଥା କହିଛନ୍ତି। ଭାରତରେ ଆସନ୍ତାବର୍ଷ ଫେବୃୟାରୀରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ କପ୍‌ ଆୟୋଜନ ହେବ। ତେଣୁ କ୍ରମାଗତ ଭାବେ ଦୁଇଟି ବଡ଼ ଇଭେଣ୍ଟ ଆୟୋଜନ ହେବାକୁ ଯାଉଥିବାରୁ ଭାରତରେ ଫୁଟବଲର ବିକାଶ ହେବ ବୋଲି ଆଶା କରାଯାଉଛି।

Share