ଏଆଇଟିୟୁସି ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ: ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଡ଼ବିଲ,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଏଆଇଟିୟୁସି(ଅଖିଳ ଭାରତ ଟ୍ରେଡ୍‌ ୟୁନିୟନ କଂଗ୍ରେସ) ପକ୍ଷରୁ ବୁଧବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିି। ଶ୍ରମିକମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ କରିଥିଲେ। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୂତନ ଶ୍ରମ ଆଇନକୁ ବିରୋଧ କରିବା ସହ ୨୦୨୦ ମସିହାରେ ଖଣି ନିଲାମ ପ୍ରକ୍ରିୟା ଯୋଗୁ ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ସହ ଖଣି କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଭରଣା ପ୍ରଦାନ ସମ୍ପର୍ର୍କିତ ଦୁଇଟି ଦାବିପତ୍ର ଶ୍ରମିକ ସଂଗଠନ ପକ୍ଷରୁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଏହି ଶୋଭାଯାତ୍ରା ଓ ବିକ୍ଷୋଭରେ ଏଆଇଟିୟୁସି ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ତଥା କେଏମ୍‌ଏଫ୍‌ଡବ୍ଲ୍ୟୁ(କେନ୍ଦୁଝର ମାଇନ୍ସ ଆଣ୍ଡ ଫରେଷ୍ଟ ୱାର୍କର୍ସ ୟୁନିୟନ)ର ସଭାପତି ରାମକୃଷ୍ଣ ପଣ୍ଡା ଯୋଗଦେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ, ମାଲିକ ସପକ୍ଷବାଦୀ ନୀତିକୁ କଟୁ ସମାଲୋଚନା କରିଥିଲେ। ଅନ୍ୟ ଶ୍ରମିକ ନେତାଙ୍କ ମଧ୍ୟରେ ବିଦ୍ୟାଧର ମହାନ୍ତ, କପିଳ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।