Categories: ବାଣିଜ୍ୟ

ଏଆଇଏଫ୍‌ଏଫ୍‌ ସଭାପତି ପାଇଁ ଭୂତିଆଙ୍କ ନାମାଙ୍କନ

ନୂଆଦିଲ୍ଲୀ,୨୬ା୮(ପି.ଟି):ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ୍‌)ର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବାଇଚୁଙ୍ଗ ଭୂତିଆ। ଭାରତୀୟ ଫୁଟବଲ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ ଭୂତିଆ ଗୁରୁବାର ନିଜର ନାମାଙ୍କନ ଦାଖଲ କରିଛନ୍ତି। ୪୫ ବର୍ଷୀୟ ଭୂତିଆଙ୍କ ନାମ ଆନ୍ଧ୍ର ଫୁଟବଲ ଆସୋସିଏଶନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ରାଜସ୍ଥାନ ଫୁଟବଲ ଆସୋସିଏଶନ ପକ୍ଷରୁ ଏହାକୁ ସମର୍ଥନ କରାଯାଇଛି। ଏଆଇଏଫ୍‌ଏଫ୍‌ ସଭାପତି ପଦ ପାଇଁ ମୁଁ ନିଜକୁ ସବୁଠୁ ଯୋଗ୍ୟ ମନେ କରୁଥିବା କାରଣରୁ ମୁଁ ନାମାଙ୍କନ ଦାଖଲ କରିଛି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଭୂତିଆ। ଭାରତ ପାଇଁ ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିବା ସହିତ ବିଭିନ୍ନ ନାମୀ କ୍ଲବ ନିମନ୍ତେ ମଧ୍ୟ ମୁଁ ଖେଳିଛି। ଏହା ବ୍ୟତୀତ କ୍ରୀଡା ମନ୍ତ୍ରଣାଳୟର ମିଶନ ଅଲିମ୍ପିକ୍ସ ସେଲ୍‌ ଓ ଅନ୍ୟାନ୍ୟ କ୍ରୀଡା କମିଟିରେ ସାମିଲ ହେବା କାରଣରୁ ପ୍ରଶାସନିକ ଅଭିଜ୍ଞତା ମଧ୍ୟ ରହିଛି। ଭାରତୀୟ ଫୁଟବଲକୁ ଏହାର ଶିଖରରେ ପହଞ୍ଚାଇବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ ନିଜ ବୟାନରେ କହିଛନ୍ତି।
ଏହା ପୂର୍ବରୁ ସିଓଏ ଦ୍ୱାରା ପରିଚାଳିତ ହେଉଥିବା ସମୟରେ ମଧ୍ୟ ଭୂତିଆ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ତେବେ ଫିଫା ପକ୍ଷରୁ ଭାରତୀୟ ଫୁଟବଲ ସଂଘକୁ ବାସନ୍ଦ କରାଯିବା ପରେ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ସିଓଏକୁ ଖାରଜ କରି ଦିଆଯିବା ସହିତ ପୁନର୍ବାର ନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଥିଲା। ପ୍ରଥମ ଥର ନାମାଙ୍କନ ଦାଖଲ ସମୟରେ ଭୂତିଆଙ୍କ ପୂର୍ବତନ ଟିମ୍‌ ମେଟ୍‌ ଦୀପକ ମଣ୍ଡଳ ତାଙ୍କ ନାମ ସୁପାରିସ କରିଥିଲେ। ଅନ୍ୟତମ ପୂର୍ବତନ ଫୁଟବଲର ମଧୁ କୁମାରୀ ଏହାକୁ ସମର୍ଥନ ପ୍ରଦାନ କରିଥିଲେ।

Share