ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ: ୭ ବର୍ଷ ପରେ ଦିନରେ ଅଣ୍ଡାଦାନ ପ୍ରକ୍ରିୟା

ଗଞ୍ଜାମ,୨୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରିରହିଛି l ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ୍‌ ରିଡ୍‌ଲେ କଇଁଛମାନେ ଦିନବେଳା (ଦିନରେ ) ଗଣ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଭୋର୍‌ ୪ଟାରୁ ଗଣଅଣ୍ଡାଦାନ ଆରମ୍ଭ ହୋଇଥିଲା l ସେହିଦିନ ୪୮ ହଜାର ୮୬୧ ଓ ଶନିବାରଠାରୁ ରବିବାର ସକାଳ ୭ଟା ସୁଦ୍ଧା ୫୦ହଜାର ୧୬୬ ଅର୍ଥାତ ଦୁଇ ଦିନରେ ମୋଟ ୯୯ ହଜାର ୨୭ଟି କଇଁଛ ଅଣ୍ଡାଦାନ କରିଥିବା ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ସୂଚନା ଦେଇଛନ୍ତି l ଏହି ପ୍ରକ୍ରିୟା ଆହୁରି ୩/୪ ଦିନ ଧରି ଚାଲିବ ବୋଲି ସେ କହିଛନ୍ତି l ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଏକ ମାସ ବିଳମ୍ବରେ ଅଣ୍ଡାଦାନ ଆରମ୍ଭ ହୋଇଥିବା ପରିବେଶବିତ୍‌ ରବୀନ୍ଦ୍ର କୁମାର ସାହୁ କହିଛନ୍ତି l କଇଁଛଙ୍କ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସମୁଦ୍ର ବେଳାଭୂମି ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଟ୍‌ ନିିର୍ମାଣ କରାଇଛି l ଅଣ୍ଡା ଦେବାର ୬୦ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମଧ୍ୟକୁ ଚାଲିଯିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।