ଋଣ ଦେବା ନାଁରେ ୧.୪୦ଲକ୍ଷ ହଡ଼ପ: ଥାନାର ଦ୍ୱାରସ୍ଥ ହେଲେ ମହିଳା

ରୂପ୍‌ସା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଆଘିରିଆ ଗ୍ରାମରେ ଋଣ ଦେବା ନାମରେ ଏକ ଫାଇନାନ୍ସ ସଂସ୍ଥାର ଅଧିକାରୀ ୧ଲକ୍ଷ ୪୦ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଠକେଇର ଶିକାର ହୋଇଥିବା ମହିଳା ଝରଣା ବାରିକ, ମାଳତୀ ଦାସ, ଅର୍ଚ୍ଚନା ଜେନା, ପ୍ରମିଳା ଗିରି, ରଞ୍ଜିତା ଦାସ, ସୁମତୀ ଦାସ, ସରିତା ଜେନା ପ୍ରମୁଖ ଥାନାଧିକାରୀ ସୁଚନ୍ଦ୍ର ମହାଳିକଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି।
ଖୋର୍ଦ୍ଧା ଜିଲା ବାଲିଗ୍ରାମର ଯୁବକ ସୌରଭ ମିଶ୍ର ଗତ ୫ତାରିଖରେ ଆଘିରିଆ ଗ୍ରାମକୁ ଆସିଥିଲେ। ଗ୍ରାମର ମହିଳାଙ୍କୁ ଡାକି ଏକ ବୈଠକ କରାଇ ନିଜକୁ ଏକ ଫାଇନାନ୍ସ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସମସ୍ତଙ୍କୁ ୧୦ଦିନ ମଧ୍ୟରେ ୫୦ହଜାର ଟଙ୍କାର ଋଣ ପ୍ରଦାନ କରାଯିବ ବୋଲି କହି ବିଶ୍ୱାସ ଜନ୍ମାଇଥିଲେ। ପ୍ରତିବଦଳରେ ଜଣ ପ୍ରତି ୨ହଜାର ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ବୋଲି ସେ କହିବାରୁ ଏଥିରେ ସମସ୍ତେ ରାଜି ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ସୌରଭ ୪୦ଜଣ ମହିଳାଙ୍କଠାରୁ ୮୦ହଜାର ଟଙ୍କା ନେଇଥିବା ବେଳେ ସେହି ଗ୍ରାମର ହରିହର କାମିଳାଙ୍କଠାରୁ ୬୦ହଜାର ଟଙ୍କା ନେଇ ବ୍ୟକ୍ତିଗତ ଭାବେ ମୋଟା ଅଙ୍କର ଋଣ ଦେବେ କହି ପଳାଇଥିଲେ। ୧୦ଦିନ ବିତିଯିବା ପରେ ମହିଳାମାନେ ମୋବାଇଲରେ ତାଙ୍କ ସହ ଋଣ ବାବଦରେ କଥାବାର୍ତ୍ତା ହେବାରୁ ସେ ଗାଳିଗୁଲଜ କରିଥିବା ଏତଲାରେ ଉଲ୍ଲେଖ ରହିଛି। ପୁଣି ସୌରଭ ୧୬ତାରିଖରେ ଗାଁରେ ପହଞ୍ଚତ୍ ଆଉ କିଏ ଋଣ ନେବେ କହି ୨ହଜାର ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ଗ୍ରାମର ମହିଳାମାନେ ଏକଜୁଟ୍‌ ହେବା କ୍ଷଣି ସେ କୌଶଳକ୍ରମେ ଖସି ପଳାଇଥିଲେ। ତେବେ ଚିଟ୍‌ଫଣ୍ଡ ଓ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ସହର ଓ ଗ୍ରାମାଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିଲେ ହେଁ ଏ ଦିଗରେ ଜନସାଧାରଣ ସଚେତନ ନ ହେବା ଚର୍ଚ୍ଚା ସବୁଠି ହେଉଛି। ଅପରପକ୍ଷରେ ବିଭିନ୍ନ ଫାଇନାନ୍ସ ସଂସ୍ଥା ଗାଁ, ସହରରେ ପ୍ରବେଶ କରୁଥିବା ପ୍ରଶାସନ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।