ଉହାନ ପାଲଟିଲା ବିହାରର ସିଓ୍ବାନ !

ପାଟନା,୯।୪: ଚାଇନାର ଉହାନ ସହରରେ ପ୍ରଥମେ ହାହାକାର ସୃଷ୍ଟି କରିଥିବା କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ବିହାରର ଜଣେ ମହିଳା ସେଠାକାର ସିଓ୍ବାନକୁ ଚାଇନାର ଉହାନ ସହର କରିଦେଇଥିବା ଆଲୋଚନା ହେଉଛି। ଗୁରୁବାର ସକାଳ ସୁଦ୍ଧା ବିହାରରେ ୧୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫୧ରେ ପହଞ୍ଚିଛି। ଏଥିମଧ୍ୟରୁ ୨୦ କେବଳ ସିଓ୍ବାନର ବୋଲି କୁହାଯାଉଛି। ଏଠାରେ ମିଳିଥିବା ୯ ପଜିଟିଭ ଜଣେ ମହିଳାଙ୍କଠାରୁ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନେ ସମସ୍ତେ ଗୋଟିଏ ପରିବାର ବୋଲି କୁହାଯାଉଛି। ଓମାନରୁ ଫେରିଥିବା ଜଣେ ମହିଳା କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ତାଙ୍କ ପରିବାରର ଆଉ ୮ ସଦସ୍ୟ କରୋନାରେ ପୀଡିତ ହୋଇଛନ୍ତି। ଉକ୍ତ ୯ ଜଣଙ୍କ ମଧ୍ୟରେ ୫ ମହିଳା, ଜଣେ ପୁରୁଷ, ୨ ବାଳିକା ଓ ଜଣେ ବାଳକ ଥିବା ଜଣାପଡିଛି। ଏବେ ବିହାରରେ ସଂକ୍ରମିତଙ୍କ ମଧ୍ୟରୁ ୪୦ ପ୍ରତିଶତ ସିଓ୍ବାନର ହୋଇଥିବାରୁ ଏବେ ଏହାକୁ ଚାଇନାର ଉହାନ ସହ ତୁଳନା କରାଯାଉଛି। ଅବଶ୍ୟ ଏମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇଥିବା କୁହାଯାଉଛି।

Share