Categories: ଜାତୀୟ

ଉହାନ୍‌ରେ ବାଦୁଡ଼ିଙ୍କଠାରେ ମିଳିଲା ୩ ପ୍ରକାର ଭୂତାଣୁ

ନୂଆଦିଲ୍ଲୀ,୨୫।୫: କରୋନା ଭାଇରସ୍‌କୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ଚାଇନା। ଉହାନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଯେଉଁଠାରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହୋଇଥିଲା, ସେହିଠାରେ ଏବେ ବାଦୁଡ଼ିଙ୍କଠାରେ ୩ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି। ହେଲେ ସାରା ବିଶ୍ୱରେ କୋଭିଡ-୧୯ ଯେଉଁ ମହାମାରୀର ରୂପ ନେଇଛି ତାହା ଏବେ ବାଦୁଡ଼ିଙ୍କଠାରେ ଦେଖାଯାଇଥିବା ଭୂତାଣୁ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଇନ୍‌ଷ୍ଟିଚ୍ୟୁଟ ଡାଇରେକ୍ଟର ୟାଙ୍ଗ ୟାନୀ ସୂଚନା ଦେଇଛନ୍ତି। ଉହାନରେ ପ୍ରଥମ କୋଭିଡ-୧୯ ସଂକ୍ରମଣ ଦେଖା ଦେଇଥିଲା। ଏବେ ଏହି ଭୂତାଣୁ ସାରା ବିଶ୍ୱରେ ପ୍ରାୟ ୩ଲକ୍ଷ ୪୦ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ଏହା ପ୍ରଥମେ ବାଦୁଡ଼ିଠାରୁ ସଂକ୍ରମଣ ହୋଇ ଅନ୍ୟ ସ୍ତନ୍ୟପାୟୀ ଜୀବଙ୍କ ଜରିଆରେ ମଣିଷ ଶରୀରକୁ ସଂକ୍ରମିତ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ଅନ୍ୟମାନେ ଉହାନରୁ ଭାଇରସ୍‌ ଲିକ୍‌ ହୋଇଥିବା ନେଇ ଯେଉଁ ଦାବି କରିଥିଲେ, ଏହାକୁ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିର ନିର୍ଦ୍ଦେଶିକା ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ମନଗଢ଼ା ବୋଲି କହିଛନ୍ତି। ନିର୍ଦ୍ଦେଶିକା ୟାନୀଙ୍କ କହିବା ହେଲା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ପରୀକ୍ଷା ସମୟରେ ବାଦୁଡ଼ିଙ୍କଠାରୁ ପରୀକ୍ଷାମୂଳକ ପଦ୍ଧତିରେ ବିଭିନ୍ନ ନମୁନା ସଂଗ୍ରହ କରାଯାଇଥାଏ। ତେଣୁ ଏହି କ୍ରମରେ ପରୀକ୍ଷା ସମୟରେ କରୋନା ୩ ପ୍ରକାରର ଭୂତାଣୁ ଠାବ କରାଯାଇଛି। ବାଦୁଡ଼ିଙ୍କଠାରେ ଏବେ ଯେଉଁ ଭୂତାଣୁ ଚିହ୍ନଟ ହୋଇଛି ତାହା ସାର୍ସ(ଏସ୍‌ଏଆର୍‌ଏସ୍‌) କୋଭିଡ-୨ ସହ ୭୯.୮ ପ୍ରତିଶତ ଖାପ ଖାଉଛି। କୋଭିଡ-୧୯ ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ସହ ଏହାର କାୈଣସି ସମ୍ପର୍କ ନାହିଁ। ପ୍ରଫେସର ସି ଜେଙ୍ଗଲିଙ୍କ ନେତୃତ୍ୱରେ ୨୦୦୪ରୁ ବାଦୁଡ଼ି ଓ କରୋନାଭାଇରସ୍‌ ସମ୍ପର୍କରେ ଗବେଷଣା ଜାରି ରହିଛି। ବାଦୁଡ଼ିଙ୍କଠାରୁ ଠାବ କରାଯାଉଥିବା ଭୂତାଣୁ କେବଳ ସାର୍ସ-କୋଭିଡ୍‌-୨ ସହ ଖାପ ଖାଉଛି। ଏହା କୋଭିଡ-୧୯ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ସେକ୍ରେଟାରି ଅଫ୍‌ ଷ୍ଟେଟ ମାଇକ ପୋମ୍ପେଏ ଉହାନ ଭାଇରୋଲୋଜି ଲାବ୍‌ରୁ ଭୂତାଣୁ ସଂକ୍ରମଣ ହୋଇଥିବା ନେଇ ଯେଉଁ ତଥ୍ୟ ରଖିଥିଲେ ସେନେଇ କାୈଣସି ପ୍ରମାଣ ନାହିଁ, କେବଳ ଅନୁମାନ କରି ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି ଜେଙ୍ଗଲି କହିଛନ୍ତି। ଗତ ଡିସେମ୍ବର ୩୦ରେ କୋଭିଡ୍‌-୧୯ ଭୂତାଣୁ ସମ୍ପର୍କରେ କେତେକ ସାମ୍ପଲ ଗ୍ରହଣ କରାଯାଇଥିଲା। ଏହି ସାମ୍ପଲଗୁଡ଼ିକରୁ କିଛି ଅଜଣା ଭୂତାଣୁ ଠାବ କରାଯାଇଥିଲା। ଏହି ଭୂତାଣୁ କୋଭିଡ୍‌-୧୯ ସହିତ ସାମଞ୍ଜସ୍ୟ ରହିଥିବା ପ୍ରଥମେ ଜଣାପଡ଼ିବା ପରେ ଏନେଇ ଜାନୁୟାରୀ ୧୧ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିକଟରେ ତଥ୍ୟ ପ୍ରଦାନ କରାଯାଇଥିଲା। ପୂର୍ବରୁ ଏହିଭଳି ଭୂତାଣୁ କେବେ ଚିହ୍ନଟ ହୋଇ ନ ଥିଲା ବୋଲି ଜେଙ୍ଗଲି କହିଛନ୍ତି।

Share