ଉହାନରେ କରୋନା ମୃତ୍ୟୁସଂଖ୍ୟା ୫୦% ବଢ଼ିଲା

ବେଜିଂ/ଉହାନ,୧୮ା୪(ପି.ଟି.): ଚାଇନା ସରକାର ପୂର୍ବରୁ ପ୍ରକାଶିତ କରୋନାଜନିତ ମୃତ୍ୟୁସଂଖ୍ୟାରେ ଶୁକ୍ରବାର ସଂଶୋଧନ କରିଛନ୍ତି। ଦେଶରେ କରୋନା ସଂକ୍ରମଣରେ ୪,୬୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ କୁହାଯାଇଛି। ଭୂତାଣୁ ଉତ୍ପତ୍ତିର କେନ୍ଦ୍ରସ୍ଥଳ ଉହାନ ସହରରେ ମୃତ୍ୟୁସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି। ବେଜିଂ କୋଭିଡ୍‌-୧୯ ସମ୍ପର୍କିତ ତଥ୍ୟ ଲୁଚାଉଥିବା ନେଇ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହେବା ପରେ ମୃତ୍ୟୁସଂଖ୍ୟାରେ ପରିବର୍ତ୍ତନ କରିଛି। ଏପ୍ରିଲ ୧୬ ସୁଦ୍ଧା ଉହାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫ ବୃଦ୍ଧି କରାଯାଇ ୫୦,୩୩୩ ଦର୍ଶାଯାଇଛି। ଏହି ସମୟରେ ଅଧିକ ୧୨୯୦ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ଉହାନ ମ୍ୟୁନିସିପାଲ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଫଳରେ ଏହି ସହରରେ କରୋନାରେ ୩,୮୬୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସଂଶୋଧନ ଫଳରେ ଚାଇନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୬୯୨ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୪,୬୩୨ ହୋଇଛି।
ଚାଇନା କରୋନା ମୃତ୍ୟୁସଂଖ୍ୟା କମ୍‌ ଦର୍ଶାଉଥିବାନେଇ ଆମେରିକା, ବ୍ରିଟେନ ଓ ଅନ୍ୟ କେତେକ ଦେଶ ଅଭିଯୋଗ କରିଥିଲେ। ବେଜିଂର ରିପୋର୍ଟରେ ସ୍ବଚ୍ଛତା ନାହିଁ ଓ ଏହା ଭୂତାଣୁ ସଂକ୍ରମଣଜନିତ କ୍ଷୟକ୍ଷତିକୁ ଲୁଚାଉଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ତଥ୍ୟ ଲୁଚାଇବା ଅଭିଯୋଗକୁ ଚାଇନା ଶୁକ୍ରବାର ଖଣ୍ଡନ କରିଛି। ପ୍ରଥମ ପର୍ଯ୍ୟାୟରେ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇବାରୁ ସବୁ ହିସାବ ସରକାରଙ୍କ ପାଖକୁ ଆସିପାରି ନ ଥିଲା ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ପରେ ହିସାବ କରାଯାଇ ରିପୋର୍ଟରେ ସଂଶୋଧନ କରାଯାଇଛି। ଏହା ସ୍ବଚ୍ଛ ଓ ଠିକ୍‌ ତଥ୍ୟ ବୋଲି ଉହାନ ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି।

Share