ଉପରେ ବହ୍ଲା କାଠ ତଳେ ଗଞ୍ଜେଇ: ଟ୍ରକରୁ ୧.୮୧କୋଟିର ଗଞ୍ଜେଇ ଜବତ

ନୟାଗଡ ଅଫିସ,୧୬ା୨: ନୟାଗଡ ଜିଲା ଦଶପଲ୍ଲା ବ୍ଲକ ତୁମୁଡି ପଞ୍ଚାୟତ ରଙ୍ଗମାଟିଆ ଗ୍ରାମ ନିକଟ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢାବା ନିକଟରୁ ଶୁକ୍ରବାର ରାତିରେ ଏକ ଟ୍ରକରୁ ୧୨୦୬ କେଜି ୭୨୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ୮୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ଭୁବନେଶ୍ୱର ପକ୍ଷରୁ ଉକ୍ତ ଗଞ୍ଜେଇକୁ ଜବତ କରାଯାଇ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ତେବେ ତଦନ୍ତ ଚାଲିଥିବା ଓ କୋର୍ଟ ଚାଲାଣ କରାଯାଇ ନ ଥିବାରୁ ଡ୍ରାଇଭରଙ୍କ ନଁା ମିଳିପାରି ନାହିଁ । ଅନ୍ୟପକ୍ଷେ ତଳେ ଗଞ୍ଜେଇ ଓ ଉପରେ ବହ୍ଲା କାଠ ରଖାଯାଇ ଟ୍ରକ ଯୋଗେ ରାୟଗଡାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଜବତ କାଠର ମୂଲ୍ୟ ୫୧ହଜାର ୪୪୮ଟଙ୍କା ହେବ।

ସୂଚନା ଅନୁସାରେ, ଓଆର୧୧ ଇ ୮୧୯୯ ନଂ ବିଶିଷ୍ଟ ଟ୍ରକରେ ୧୨୦୬ କେଜି ୭୨୫ ଗ୍ରାମର ୩୯ ବସ୍ତା ଗଞ୍ଜେଇ ରହିଥିଲା। ଗୋଟିଏ ବସ୍ତା ଭିତରେ ୩ କେଜିଆ ପ୍ୟାକେଟ ୮ରୁ ୧୦ଟା ରହିଥିଲା। ଗଞ୍ଜେଇ ଚାଲାଣ ସମ୍ପର୍କରେ ଜଣା ନ ପଡିବା ପାଇଁ ଉପରେ ବହ୍ଲା କାଠ ରଖାଯାଇଥିଲା। ଗଞ୍ଜେଇ ଚାଲାଣ ନେଇ ସୂଚନା ପାଇବା ପରେ ଗୁରୁବାର ଠାରୁ ନୟାଗଡ ପୋଲିସର ସହାୟତା ନେଇଥିଲେ କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ। କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟର ୭ ଜଣିଆ ଦଳ ଓ ନୟାଗଡ ପୋଲିସ ଫୋର୍ସ ମିଳିତ ଭାବେ ରାୟଗଡାରୁ ଆସୁଥିବା ଗଞ୍ଜେଇ ଟ୍ରକକୁ ଧରିବାକୁ ପ୍ରସ୍ତୁତି ଜାରି ରଖିଥିଲେ। ଏପରିସ୍ଥଳେ ଟ୍ରକକୁ ଆଗ ଓ ପଛରୁ ଏସକର୍ଟ କରି ଗଞ୍ଜେଇ ଚାଲାଣ ହେଉଥିଲା। କିନ୍ତୁ ବାଣିଗୋଛା ଢାବା ନିକଟରେ ପାଇଲଟିଂ ଦଳ ଅଦୃଶ୍ୟ ହୋଇ ଯାଇଥିଲେ। ସେହି ସମୟରେ କେନ୍ଦ୍ରୀୟ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟର ୭ ଜଣିଆ ଦଳ ଗଞ୍ଜେଇ ଟ୍ରକ ଜବତ କରିବା ସହ ଡ୍ରାଇଭରଙ୍କୁ କାବୁ କରିଥିଲେ। ଶନିବାର ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଜବତ ଗଞ୍ଜେଇକୁ ଓଜନ କରାଯାଇଛି।