Categories: ଜାତୀୟ

ଉପନିର୍ବାଚନ ପୂର୍ବରୁ ପ୍ରବଳ ବର୍ଷା

କୋଲକାତା,୨୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ବିଧାନସଭା ଆସନରେ ଗୁରୁବାର ଉପନିର୍ବାଚନ ହେବ। ଏଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତାଙ୍କ ବିରୋଧରେ ଭାଜପା ପ୍ରିୟଙ୍କା ତିବ୍ରଓ୍ବୋଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌)ର ଶ୍ରୀଜୀବ ବିଶ୍ୱାସ ମଧ୍ୟ ଭାଗ୍ୟ ପରୀକ୍ଷା ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ଏହି ଆସନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିନାହିଁ।
ମମତା ୨୦୧୧ ଓ ୨୦୧୬ରେ ଭବାନୀପୁର ଆସନରୁ ବିଜୟୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ବିଧାନସଭା ନିର୍ବାଚନରେ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେବା ପାଇଁ ମମତା ନନ୍ଦିଗ୍ରାମ ଅସନରୁ ଲଢ଼ିଥିଲେ। କିନ୍ତୁ ନନ୍ଦିଗ୍ରାମରେ ସେ ହାରିଯାଇଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ମମତାଙ୍କୁ ୬ ମାସ ଭିତରେ ବିଧାୟକ ଭାବେ ନିର୍ବାଚିତ ହେବା ଜରୁରୀ ଥିବାରୁ ଟିଏମ୍‌ସି ଟିକେଟରେ ଜିତିଥିବା ଶୋଭନଦେବ ଚଟ୍ଟୋପାଧ୍ୟାୟ ଏହି ହାଇପ୍ରୋଫାଇଲ ଆସନ ତାଙ୍କ ପାଇଁ ଛାଡ଼ିଦେଇଛନ୍ତି। ଭବାନୀପୁରର ୯୭ ପୋଲିଂ ସେଣ୍ଟରରେ ୨୮୭ ବୁଥ୍‌ର ବ୍ୟବସ୍ଥା କରାଯାଇଛି। ସେହିପରି ଜାଙ୍ଗିପୁରର ୩୬୩ ଓ ସମଶେରଗଞ୍ଜ ଆସନର ୩୨୯ ବୁଥ୍‌ରେ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ୩ ନିର୍ବାଚନମଣ୍ଡଳୀରେ ୫୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଯବାନଙ୍କୁ ମୁତୟନ କରାଯାଇଛି। ବୁଥ୍‌ ବାହାରେ କୋଲକାତା ପୋଲିସ ଅଫିସରମାନେ ରହିବେ। ମତଦାନ କେନ୍ଦ୍ରର ୨୦୦ ମିଟର ପରିଧିରେ ୧୪୪ ଧାରା ଜାରି କରାଯାଇଛି। ଭୋଟ ଗ୍ରହଣର ଦିନକ ପୂର୍ବରୁ ଉପନିର୍ବାଚନରେ ବାଧକ ସାଜିଛି ପ୍ରବଳ ବର୍ଷା। ନିର୍ବାଚନ କମିଶନ ସଳସେଚନ ବିଭାଗ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୩ ଆସନରେ ଅକ୍ଟୋବର ୩ରେ ଭୋଟ ଗଣତି କରାଯିବ।

 

Share