ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଠାକୁରମୁଣ୍ଡା,୬ା୧୨(ଡି.ଏନ୍‌.ଏ.)- ୪ ଦଫା ଦାବି ନେଇ ଜାତୀୟ ଯୁବ ପ୍ରକଳ୍ପର ସଭ୍ୟମାନେ କରଞ୍ଜିଆ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରତୀକ ଧାରଣାରେ ବସିଥିଲେ। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା, ବାରିପଦା ଅର୍ବାନ ବ୍ୟାଙ୍କର ଜମାକାରୀମାନଙ୍କୁ ସେମାନଙ୍କ ଜମାଅର୍ଥ ରାଶି ଫେରସ୍ତ ନିମନ୍ତେ ପଦକ୍ଷେପ ନେବା, କରଞ୍ଜିଆଠାରେ ଏକ ପୂର୍ଣ୍ଣକାଳୀନ ଅତିରିକ୍ତ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲିବା, ୨ ମାସ ହେବ ଖାଲିପଡ଼ିିଥିବା ଉପଜିଲାପାଳ ପଦବୀରେ ସ୍ଥାୟୀ ଉପଜିଲାପାଳଙ୍କୁ ଅବସ୍ଥାପିତ କରାଯିବା ଦାବି ଉଲ୍ଲେଖ ରହିଛି। ଆଗାମୀ ୬ ଦିନ ପର୍ଯ୍ୟନ୍ତ ପ୍ରତୀକ ଧାରଣା ଦିଆଯିବା ପରେ ଦାବି ପୂରଣ ନ ହେଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଧାୟିକା, ଜିଲାପାଳଙ୍କୁ ଅବଗତ କରାଯାଇ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଜାତୀୟ ଯୁବ ପ୍ରକଳ୍ପର ଆବାହକ ସଚ୍ଚିଦାନନ୍ଦ ସାହୁ ସୂଚନା ଦେଇଛନ୍ତି।