ଉପଜିଲାପାଳଙ୍କୁ ସ୍କ୍ରାପ୍‌ ୱାଚ ଦେଲା ଆଇଟିଆଇ

ବ୍ରହ୍ମପୁର ଅଫିସ, ୨୨ା୪-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଥିବା ଜମାକାରୀଙ୍କୁ ପ୍ରେତ୍ସାହିତ କରାଯିବ। ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଲୋକଙ୍କୁ ବ୍ରହ୍ମପୁର ସରକାରୀ ଆଇଟିଆଇ ଦ୍ୱାରା ପ୍ରସ୍ତୁତ ସ୍କ୍ରାପ୍‌ ୱାଚ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ମଙ୍ଗଳବାର ଆଇଟିଆଇ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କୁ ପ୍ରଥମ ସ୍କ୍ରାପ୍‌ରେ ପ୍ରସ୍ତୁତ ଆଣ୍ଟିକ୍ୟୁ ପିସ୍‌ ଅଫ୍‌ ୱାଲ ୱାଚ ପ୍ରଦାନ କରାଯାଇଛି। ଏହି ୱାଚ୍‌ ଏପ୍ରିଲ ୧୭ ପରଠାରୁ ସରକାରଙ୍କ କୋଭିଡ୍‌ -୧୯ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଆର୍ଥିକ ସହାୟତା ପ୍ରଦାନ କରିଥିବା ଲୋକଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ଦେଶ ଓ ରାଜ୍ୟରେ କରୋନାର ମୁକାବିଲା ପାଇଁ ସରକାରଙ୍କୁ ଆର୍ଥିକ ସହାୟତାର ହାତ ବଢାଇଥିବା ବ୍ୟକ୍ତିଙ୍କୁ ପ୍ରେତ୍ସାହିତ କରିବା ନେଇ ପ୍ରଶାସନ ଓ ଆଇଟିଆଇ ପକ୍ଷରୁ ମିଳିତ ଭାବେ ଏଭଳି ଉଦ୍ୟମ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ପ୍ରେତ୍ସାହନ ସ୍ବରୂପ ଏହି ୱାଚ ପ୍ରଦାନ କରାଯିବାକୁ ଯୋଜନା କରାଯାଇଛି। ଏହି ୱାଚ ସାଇକେଲର ପୁରୁଣା ଚେନ୍‌ ଓ କ୍ରାଙ୍କଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ପ୍ରତି ୱାଚ ପ୍ରସ୍ତୁତ ପାଇଁ ୧୦୦ ରୁ ୧୩୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖୁବ ଶୀଘ୍ର ଆଇଟିଆଇ ପକ୍ଷରୁ ୧୦୦ ସ୍କ୍ରାପ୍‌ ସାମଗ୍ରୀରେ ପ୍ରସ୍ତୁତ ୱାଚ ପ୍ରଦାନ କରାଯିବ ନେଇ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ସୂଚାଇଛନ୍ତି। ୱାଚ୍‌ ପ୍ରଦାନ ବେଳେ ଆଇଟିଆଇର ଅଧ୍ୟକ୍ଷଙ୍କ ସମେତ କିଛି ଶିକ୍ଷକ ଉପସ୍ଥିତ ଥିଲେ।