Categories: ଅନୁଗୋଳ

ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପାଲଲହଡା,୧୮ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ନ ଥିବାବେଳେ କେତେକ ମେଶିନ ଅଚଳ ଅବସ୍ଥାରେ ରହିଛି। ଫଳରେ ଦୈନିକ ଏଠାକୁ ଆସୁଥିବା ଶତାଧିକ ରୋଗୀ ଉନ୍ନତ ଚିକିତ୍ସା ପାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ରୋଗୀଙ୍କୁ ଶହେ କିମି ଦୂର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ପଡ଼ୁଥିବାରୁ ଏ ନେଇ ଅସନ୍ତୋଷ ଦେଖାଦେଇଛି।
୬୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ୨୦ ଡାକ୍ତର ପଦବୀ ଥିବାବେଳେ ବର୍ତ୍ତମାନ ୧୩ଟି ପଦବୀ ଖାଲିପଡିଛି। ଜଣେ ବିଶେଷଜ୍ଞ ଡାକ୍ତର, ୨ ଜଣ ଠିକା ଡାକ୍ତର ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ମିଶାଇ ମାତ୍ର ୭ ଜଣ ଡାକ୍ତର ଅଛନ୍ତି। ଦୀର୍ଘବର୍ଷରୁ ଶିଶୁରୋଗ, ଦନ୍ତରୋଗ, ଶଲ୍ୟ, ଭେଷଜ, ଚକ୍ଷୁ ଆଦି ବିଭାଗ ଗୁଡିକରେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀମାନେ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ୨୦୦୭ରୁ ତତ୍‌କାଳୀନ ଏକ୍ସ-ରେ ଏବଂ ଇସିଜି ଟେକ୍ନିସିଆନ ଅବସର ଗ୍ରହଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନୂତନ ନିଯୁକ୍ତି ହୋଇନାହିଁ। ଫଳରେ ବହୁ ବର୍ଷ ଧରି ଏକ୍ସ-ରେ ଏବଂ ଇସିଜି ମେଶିନ ପଡ଼ିରହି ଅଚଳ ହୋଇପଡ଼ିଛି। ଡାକ୍ତରଖାନାରେ ମୋଟ୍‌ ୮ ଷ୍ଟାଫ ନର୍ସ ପଦବୀ ଥିବାବେଳେ ଏବେ ଅଛନ୍ତି ୪ ଜଣ। ୩ ଫାର୍ମାସିଷ୍ଟରୁ ୨ ଜଣରେ କାର୍ଯ୍ୟ ଚାଲିଛି। ପ୍ରାୟତଃ ସବୁ ବିଭାଗରେ ଅଧାରୁ ଅଧିକ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସରକାରଙ୍କ ନିରାମୟ ଯୋଜନାରେ ଔଷଧ ବିତରଣଠାରୁ ନିଦାନ ଯୋଜନାରେ ରୋଗ ନିରୂପଣ ଆଦି ସବୁଠି ଏପରି ଅବ୍ୟବସ୍ଥା ଦେଖାଦେଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଗତବର୍ଷ ଏହି ଚିକିତ୍ସାଳୟକୁ ଏକ ମହାପ୍ରୟାଣ ଗାଡି ଏବଂ ଦନ୍ତ ଚିକତ୍ସା ପାଇଁ ସମସ୍ତ ଉପକରଣ ଯୋଗାଇ ଦେଇଥିଲେ। ହେଲେ ଗାଡ଼ି ଚାଳକ ଏବଂ ଦନ୍ତ ଡାକ୍ତର ନ ଥିବାରୁ ତାହା କାମରେ ଲାଗୁନି। ପାଲଲହଡା ଉପଖଣ୍ଡ ଦେଇ ଦୁଇଟି ଜାତୀୟ ରାଜପଥ ଯାଇଥିବାବେଳେ ପ୍ରତିଦିନ ଦୁର୍ଘଟଣାଗ୍ରସ୍ତ ଡାକ୍ତରଖାନାକୁ ଆସୁଛନ୍ତି। କିନ୍ତୁ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ଅଭାବରୁ ସେମାନଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇଦେବା ସମ୍ଭବ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକ କହିଛନ୍ତି, ମେଡିକାଲରେ ଡାକ୍ତର ପଦବୀ ଖାଲିପଡ଼ିଛି। ବିଭିନ୍ନ ସମୟରେ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି।