ଉପକୂଳ ଅଞ୍ଚଳ ଛାରଖାର

ଭୋଗରାଇ, ୨୧।୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶା ସୀମାନ୍ତ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱରରେ ବ୍ୟାପକ କ୍ଷତି ହୋଇଛି। ଏହି ସାମୁଦ୍ରିକ ଝଡ଼ ବୁଧବାର ଅପରାହ୍ନରେ ବାଲେଶ୍ୱର ଅତିକ୍ରମ କଲାବେଳେ ଭୋଗରାଇ ତଥା ଏହାର ଆଖପାଖ ଅଞ୍ଚଳରେ ଘଣ୍ଟାକୁ ୧୦୦ କି.ମି. ଊର୍ଦ୍ଧ୍ୱ ବେଗରେ ପବନ ବହି ସମଗ୍ର ଅଞ୍ଚଳକୁ ଛାରଖାର କରିଦେଇଛି। ବିଭିନ୍ନ ସ୍ଥାନରେ ବହୁ ପୁରୁଣା ଘଛକୁ ଉପାଡ଼ି ପକାଇଛି। ମୁଖ୍ୟ ରାସ୍ତା ସହ ବିଭିନ୍ନ ଗାଁ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ସ୍ଥାନୀୟ ଲୋକେ ଭଭୀତ ହୋଇ ପକ୍କା ଘର ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ଭୋଗରାଇ, ବାଲିଆପାଳ ସମେତ ପୂର୍ବ ମେଦିନପୁର ଜିଲାରେ ପାନବରଜ ଭାଙ୍ଗି ଛିନଛତର ହୋଇଯାଇଛି। ନଡ଼ାଛପର ଘର, ଆଜବେଷ୍ଟସ୍‌ ଓ ଟିଣଛପର ଘର ବତାଶମାଡ଼ରେ ଉଡ଼ିଯାଇଛି। ଏହାସହିତ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସାମୁଦ୍ରିକ ଝଡ଼ ଉପକୂଳମୁହଁା ହେବାବେଳେ ସମୁଦ୍ର ଜୁଆର ୧୦ ମିଟର ଊର୍ଦ୍ଧ୍ୱକୁ ଉଠି ପଥରବନ୍ଧରେ ମାଡ଼ କରିଛି। ସହସ୍ରାଧିକ ଝାଉଁଗଛ ଧରାଶାୟୀ ହୋଇଛି। ପଶ୍ଚିମବଙ୍ଗ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣିଠାରେ ସମଦ୍ର ଢେଉ ପଥରବନ୍ଧ ଡେଇଁ ଜନବସତି ଆଡକୁ ପ୍ରବେଶ କରିଛି। ପାଚିଲା ଧାନ ପାଣିରେ ଭାସୁଛି।