Categories: ଜାତୀୟ

ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣାକୁ ନେଇ ଆରମ୍ଭ ହେଲା ରାଜନୀତି

ରାଏ ବରେଲି,୨୯।୭: ଉନ୍ନାଓ ବଳାତ୍କାର ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍‌ରେ ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ରବିବାର ଜଣଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ପୀଡିତା ଏବଂ ଅନ୍ୟ ଦୁଇଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏବେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ ନେଇ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ପୀଡିତାଙ୍କ ମା’ ଏହି ଦୁର୍ଘଟଣା ପଛରେ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାରଙ୍କ ହାତ ଥିବା କହିଛନ୍ତି। କାରଣ କୁଲଦୀପଙ୍କ କର୍ମୀମାନେ ତାଙ୍କୁ ବାରମ୍ବାର ଧମକ ଦେଉଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ସୋମବାର ଏଡିଜି ମହେଶ ସିଂ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି କହିଛନ୍ତି, ଘଟଣାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ଏହାସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ମାଲିକ, ଡ୍ରାଇଭର ଓ ହେଲ୍‌ପରଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ଅନ୍ୟପଟେ ଆହତଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରବିବାର ବଳାତ୍କାର ପୀଡିତା, ତାଙ୍କର ଖୁଡୀ, ମାଈଁ ଏବଂ ଆଇନଜୀବୀ ରାଏବରେଲି ଜେଲ୍‌ରେ ଥିବା ପୀଡିତାଙ୍କ ସମ୍ପର୍କୀୟଙ୍କୁ ଦେଖିବାକୁ ଯାଉଥିବାବେଳେ ସେମାନେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପୀଡିତାଙ୍କ ମାଈଁଙ୍କର ଜିଲା ହସ୍ପିଟାଲରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ ଲକ୍ଷ୍ନୌସ୍ଥିତ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯିବା ସହିତ ନିରାପତ୍ତା ଯୋଗାଇ ଦିଆଯାଇଥିବା ପୋଲିସ କହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଉକ୍ତିକୁ ଉଦ୍ଧାର କରି ପୋଲିସ କହିଛି ଏକ ଦ୍ରୁତଗାମୀ ଟ୍ରକ୍‌ ପୀଡ଼ିତା ବସିଥିବା କାର୍‌କୁ ଧକ୍କା ଦେଇଥିଲା।

Share