ଉନ୍ନତି ଭବନ ଲୋକାର୍ପିତ: ଓଏମ୍‌ଏସ୍‌, ଓଏମ୍‌ପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୧।୩(ବ୍ୟୁରୋ): ନୂତନ ଭାବେ ଚୟନ ହୋଇଥିବା ଓଡିଶା ପୌର କ୍ୟାଡର ଅନ୍ତଭୁର୍କ୍ତ ଓଡିଶା ପୌର ପ୍ରଶାସନ ସେବା (ଓଏମ୍‌ଏସ୍‌) ଏବଂ ଓଡିଶା ପୌର ଯୋଜନା ସେବା (ଓଏମ୍‌ପିଏସ) ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟନଗରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଉନ୍ନତି ଭବନର ଲୋକାର୍ପଣ କରିଛନ୍ତି। ଶନିବାର ଏହି ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଏମ୍‌ଏସ୍‌ର ୨୮ ଏବଂ ଓଏମ୍‌ପିଏସ୍‌ର ୧୨ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଅଧିକାରୀମାନଙ୍କୁ ସ୍ବାଗତ କରିବା ସହ ମୋ ସରକାର ଏବଂ ୫-ଟି ଧାରାରେ କାର୍ଯ୍ୟ କରି ପୌରାଞ୍ଚଳ ଶାସନ ବ୍ୟବସ୍ଥାକୁ ଏକ ନୂତନ ସ୍ତରକୁ ନେବାକୁ ପରାମର୍ଶ ଦେଇଥିଲେ।

ନଗର ଉନ୍ନୟନ ବିଭାଗ ଦ୍ୱାରା ୩୦ କୋଟି ଟଙ୍କାରେ ନିର୍ମିତ ଉନ୍ନତି ଭବନରେ ଓଡିଶା ଜଳଯୋଗାଣ ଓ ସ୍ବେରେଜ ବୋର୍ଡ, ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ସଂଗଠନ, ଓ୍ବାଟ୍‌କୋ, ଆବାସ ମିଶନ, ଜାଗା ମିଶନ ଭଳି କାର୍ଯ୍ୟାଳୟ ରହିଛି। ଏହି ଅବସରରେ ବସ୍ତି ରୂପାନ୍ତରଣ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଜାଗା ମିଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହାଛଡା ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଏବଂ ୨୪ ଘଣ୍ଟିଆ ଉତ୍ତମ ଜଳଯୋଗାଣ ଯୋଜନାରେ କାର୍ଯ୍ୟରତ ଓ୍ବାଟ୍‌କୋ କର୍ପୋରେଟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ଉନ୍ନତି ଭବନ ୨ ଏକର ପରିମିତ ଅଞ୍ଚଳରେ ୯୩,୨୫୦ ବର୍ଗଫୁଟ ବିଶିଷ୍ଟ ନିର୍ମାଣ ହୋଇଥିବା ବେଳେ ଏଥିରେ ୨୫୦ ଦୁଇଚକିଆ ଏବଂ ୮୦ଟି ଚାରିଚକିଆ ଯାନ ରଖିବା ବ୍ୟବସ୍ଥା ହୋଇଛି। ଏଥିରେ ୪୦୦ ଲୋକ କାମ କରିବା ନେଇ ଦୀର୍ଘ ସ୍ପେଶ ରହିଛି। ଏହି ଭବନରେ ୧୧୦ କିଲୋଓ୍ବାଟର ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଥିବା ବେଳେ ଛାତ ଉପର ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଏଥିରେ ୩ଟି ବୃହତ୍‌ ସମ୍ମିଳନୀ କକ୍ଷ ଥିବାବେଳେ ୩ଟି କ୍ଷୁଦ୍ର ସମ୍ମିଳନୀ କକ୍ଷ, ଲାଇବ୍ରେରୀ, ଡାଇନିଂ ହଲ, ରିସେପସନ ଲବି, ସର୍ବସାଧାରଣଙ୍କ ପାଇଁ ୪ଟି ଓ୍ବେଟିଂ ଲବି ରହିଛି। ଏହି ଭବନର ସବୁ ଅଞ୍ଚଳରେ ସିସିି ଟିଭି ସର୍ଭେଲାନ୍ସ ବ୍ୟବସ୍ଥା ରହିଛି। ଏହି ଲୋକାର୍ପଣ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଓପିଏସ୍‌ସି ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।