ଉଦ୍‌ଘାଟିତ ହେଲା ଝାରସୁଗୁଡ଼ା କୋଭିଡ୍‌ ହସ୍ପିିଟାଲ

ଝାରସୁଗୁଡ଼ା ଅଫିସ,୨୩ା୪-ଝାରସୁଗୁଡା ସହର ମଙ୍ଗଳବଜାରସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ବୁଧବାର କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରଗଡ ଏମ୍‌ପି ସୁରେଶ ପୁଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଝାରସୁଗୁଡା ଜିଲାପାଳ ସରୋଜ କୁମାର ସାମଲ, ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଜଗଦୀଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲାପାଳ ସରୋଜ କୁମାର ସାମଲ ସ୍ବତନ୍ତ୍ରଭାବେ ସୂଚନା ପ୍ରଦାନ କରିଥିଲେ। ଏହି ହସ୍ପିଟାଲରେ ମୋଟ ୧୧୦ ଶଯ୍ୟା ବିଶିଷ୍ଟ। ସେଥିମଧ୍ୟରୁ ୯୩ ସାଧାରଣ ଶଯ୍ୟା, ୧୦ ଆଇସିୟୁ ଓ ୭ ଏଚଡିୟୁ ୟୁନିଟ ଅନ୍ତର୍ଭୁକ୍ତ। ରୋଗୀଙ୍କ ଚିକିତ୍ସା ନିମନ୍ତେ ୧୦ ଭେଣ୍ଟିଲେଟର, ବହୁଗୁଣିତ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା, ଅମ୍ଳଜାନ ସିଲିଣ୍ଡର, କମ୍ପ୍ରେସର ଆଦିର ବ୍ୟବସ୍ଥା କରାଯାଇଛି। ଏହି ହସ୍‌ପିଟାଲ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ଦ୍ୱାରା ପରିଚାଳିତ ହେବ। ଉକ୍ତ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲା ଖଣିଜ ପାଣ୍ଠିରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି। ଝାରସୁଗୁଡ଼ାସ୍ଥିତ ବେଦାନ୍ତ କମ୍ପାନୀ ପ୍ରାୟ ୨ କୋଟି ଟଙ୍କାର ଯନ୍ତ୍ରପାତି ଯୋଗାଇ ଦେଇଛି।

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ
କୋଭିଡ୍‌ ହସ୍‌ପିଟାଲ ଉଦ୍‌ଘାଟନୀ ଉତ୍ସବରେ ସାମାଜିକ ଦୂରତା ନିୟମ ଉଲ୍ଲଘଂନ ହୋଇଥିଲା। ଏପରି କି ସ୍ବାସ୍ଥ୍ୟମନ୍ତ୍ରୀ ଦାସ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।ହସ୍ପିଟାଲ ଭିତରେ ବହୁ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଦାସ ଓ ଜିଲାପାଳ ସାମଲଙ୍କୁ ପ୍ରଶ୍ନ କରାଯିବାରୁ ସେ କୌଣସି ଉତ୍ତର ଦେଇ ଚୁପ୍‌ ରହିଥିଲେ।