Categories: ଖେଳ

ଉଥପାଙ୍କ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳରେ ୫ ଭାରତୀୟ

ନୂଆଦିଲ୍ଲୀ,୩।୧-୨୦୧୯ବର୍ଷ ଶେଷ ହେବା ପରେ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟରମାନେ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ ଚୟନ କରୁଛନ୍ତି। ଏହି ଧାରାରେ ଯୋଡ଼ି ହୋଇଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ ରବିନ ଉଥପା। ତାଙ୍କ ଏକାଦଶରେ ୫ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛନ୍ତି। ଓପନର ଭାବେ ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି। ତାଙ୍କ ସହ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କୁ ବାଛିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ବାର୍ନର ସ୍ଥାନ ପାଇନାହାନ୍ତି। ୩ ନମ୍ବର ପାଇଁ ସଭିଙ୍କ ଭଳି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚୟନ କରିଛନ୍ତି। ମଧ୍ୟକ୍ରମର ଦାୟିତ୍ୱ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ଭିଲର୍ସଙ୍କୁ ଦେଇଛନ୍ତି। ଦଳରେ ଅଲରାଉଣ୍ଡର ଯୁବରାଜ ସିଂ ଓ ଉଇକେଟକିପର ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ସାମିଲ କରିଛନ୍ତି। ଉଥପାଙ୍କ ଅଧିନାୟକ ହେଉଛନ୍ତି ଧୋନୀ। କ୍ୟାପଟେନ କୁଲ୍‌ ଭାବେ ପରିଚିତ ଧୋନୀ ଏବେ ଭାରତୀୟ ଦଳର ଅଧିନାୟକ ପଦ ୨୦୧୭ରେ ଛାଡ଼ିଥିଲେ। କିନ୍ତୁ ତାଙ୍କ ନେତୃତ୍ୱରେ ଦଳ ୨୦୧୧ ଆଇସିସି ବିଶ୍ୱକପ୍‌ ଓ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଥିଲା। ଏହି ଦଳରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ବୋଲିଂ ଅଲରାଉଣ୍ଡର, ପୂର୍ବତନ ଭାରତୀୟ ପେସର ଜାହିର ଖାଁ, ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ଡାନିଏଲ ଭେଟୋରି ଓ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ରହିଛନ୍ତି।
ଦଶନ୍ଧି ପାଇଁ ଉଥପ୍ପାଙ୍କ ଦଳ: ରୋହିତ ଶର୍ମା, କ୍ରିସ୍‌ ଗେଲ୍‌, ବିରାଟ କୋହଲି, ଷ୍ଟିଭ ସ୍ମିଥ୍‌, ଏବି ଡି’ଭିଲର୍ସ, ଯୁବରାଜ ସିଂ, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ ଓ ଉଇକେଟ କିପର), ବେନ୍‌ ଷ୍ଟୋକ୍ସ, ଡାନିଏଲ ଭେଟୋରି, ଜାହିର ଖାଁ ଓ ଲସିଥ ମାଲିଙ୍ଗ।

Share