‘ଉତ୍ତେଜନା ହ୍ରାସ ପାଇଁ ବହୁତ କିଛି କରାଯାଇଛି’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୁବ୍‌ଶୀଘ୍ର ସାକ୍ଷାତ୍‌ ହେବ। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଅନେକ କିଛି କରାଯାଇଛି ବୋଲି ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି।
ଆମେରିକାର ହ୍ୟୁଷ୍ଟନରେ ଆସନ୍ତା ୨୨ରେ ହେବାକୁ ଥିବା ‘ହାଓ୍ବଡ଼ି ମୋଦି’ ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପ୍‌ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବେ। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ କେବେ ଓ କେଉଁଠି ସାକ୍ଷାତ୍‌ ହେବ ସେନେଇ ଟ୍ରମ୍ପ୍‌ କିଛି କହିନାହାନ୍ତି। ଅନ୍ୟପକ୍ଷରେ ମୋଦିଙ୍କ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ଙ୍କ ଯୋଗଦେବା ଫଳରେ ବିଶ୍ୱକୁ ଏକ ବାର୍ତ୍ତା ଯିବ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ମୋଦି ଆମେରିକା ଗସ୍ତ ବେଳେ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଯୋଗଦେବେ। ଏହି ପରିପ୍ରେକ୍ଷୀରେ ସେ ୫୦,୦୦୦ ଭାରତୀୟଙ୍କୁ ହ୍ୟୁଷ୍ଟନରେ ସମ୍ବୋଧିତ କରିବେ।

Share