Categories: ଜାତୀୟ

ଉତ୍ତର ପ୍ରଦେଶରେ ପାଦ ରଖିଲା କରୋନା ଭାଇରସ: ଗୋଟିଏ ପରିବାରର ୬ ଆକ୍ରାନ୍ତ!

ଆଗ୍ରା,୩।୩: ଭାରତରେ କରୋନା ଭାଇରସର ପ୍ରବେଶକୁ ନେଇ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ଏହା ଉତ୍ତର ପ୍ରଦେଶରେ ପାଦ ରଖିଛି ବୋଲି କୁହାଯାଉଛି। ଆଗ୍ରାର ଗୋଟିଏ ପରିବାରର ୬ ଜଣ ସଦସ୍ୟ ଏହି କରୋନା ଭାଇରସରେ ପୀଡିତ ଥିବା ସନ୍ଦେହ କରାଯାଉଛି। ସୋମବାର ଉକ୍ତ ପରିବାରର ୧୩ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ କରୋନା ଭାଇରସରେ ସଂକ୍ରମିତ ବୋଲି ଅନୁମାନ କରାଯାଇଛି। ଆଗ୍ରାରେ ରହୁଥିବା ଜୋତା ବ୍ୟବସାୟୀ ଦୁଇଭାଇ ୨୫ ଫେବୃୟାରୀରେ ଇଟାଲୀରୁ ଫେରିଥିବା ବେଳେ ସେମାନଙ୍କ ନିକଟରେ ଏହି କରୋନା ଭାଇରସ ଥାଇପାରେ ବୋଲି କୁହାଯାଉଛି। ଦିଲ୍ଲୀରେ ଚିହ୍ନଟ ହୋଇଥିବା କରୋନା ଭାଇରସ ସଂକ୍ରମିତ ବ୍ୟକ୍ତି ଜଣଙ୍କ ଏମାନଙ୍କ ସମ୍ପର୍କୀୟ ହୋଇଥିବା ବେଳେ ଏମାନେ ସମସ୍ତେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏବେ ଏମାନଙ୍କୁ ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଥିବା ସୂଚନା ମିଳିଛି। କରୋନା ଭାଇରସ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଚାଇନାରେ ଏବେ ଏହା ୩ ହଜାରରୁ ଅଧିକ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଲାଣି। ସେହିପରି ଚାଇନାରେ ପାଖାପାଖି ୯୦ ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ଥିବା କୁହାଯାଉଛି।

Share