ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ: ପରୀକ୍ଷା ଫି’ ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ବିରୋଧ ଜାରି

ବାରିପଦା ଅଫିସ,୨୨ା୧୦- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଗତ ଶନିବାର ଛାତ୍ରୀଛାତ୍ର ଆନ୍ଦୋଳନ କରିଥିବା ବେଳେ ପୁନର୍ବାର ସୋମବାର ସକାଳେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ବନ୍ଦକରି ଆନ୍ଦୋଳନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। କିଛିଦିନ ତଳେ ଏହି ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରୀଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇ ନ ଥିଲେ। ଗତ ଶନିବାର ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗେଟ୍‌ ବନ୍ଦକରି ଆନ୍ଦୋଳନ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ଅଧିକାରୀବୃନ୍ଦ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରି ବୁଝାଶୁଝା କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କିଛି ସମାଧାନ ହୋଇ ନ ଥିବାରୁ ସୋମବାର ପୁନର୍ବାର ସକାଳ ୧୦ଟାରୁ ମୁଖ୍ୟ ଗେଟ୍‌ ବନ୍ଦକରି ଛାତ୍ରୀଛାତ୍ର ଆନ୍ଦୋଳନ କରିଥିଲେ। ପିଜିସି ଚେୟାରମ୍ୟାନ ସୁସ୍ମିତା କର ଛାତ୍ରୀଛାତ୍ରମାନଙ୍କୁ ବୁଝାଶୁଝା କରିଥିଲେ। ପରୀକ୍ଷା ଫର୍ମ ପୂରଣ ତାରିଖ ଘୁଞ୍ଚାଇବା ସହ ପରୀକ୍ଷା ଫି’ କମ୍‌ କରିବା ପାଇଁ ବିଭାଗକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ !