ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌

ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି ା ଘଟଣାର ତଦନ୍ତ ପାଇଁ ଜିଲା ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଡିଏସ୍‌ପି ଏସ୍‌.କେ ସାମନ୍ତରାୟଙ୍କ ନେତୃତ୍ୱରେ ୨ୟ ଥର ପାଇଁ ସୋମବାର ଖଇରା ତହସିଲ, ଖଇରା ଥାନା, ଖଇରା ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି।
ସୁଣ୍ଢିରା ଗ୍ରାମର ବନ୍ଦନା ନାୟକ ନିଜର ଜେଜେମାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ତହସିଲରେ ଆବେଦନ କରିଥିବା ବେଳେ ଏହାକୁ ଖାରଜ କରିଦିଆଯାଇଥିଲା। ପ୍ରମାଣପତ୍ର ପାଇଁ ୫ଲକ୍ଷ ଟଙ୍କା ଲାଞ୍ଚ ମଗାଯିବାରୁ ସେ ଦେଇ ନ ପାରି ଭିଜିଲାନ୍ସ ବିଭାଗରେ ଜଣାଇଥିଲେ ା ଭିଜିଲାନ୍ସ ପକ୍ଷରୁ କେସ୍‌ (ନଂ. ୩୮/୨୦୧୯) ରୁଜୁ କରାଯାଇଥିଲା। ଭିଜିଲାନ୍ସ ଟିମ୍‌ ଅକ୍ଟୋବର ୪ ତାରିଖରେ ପ୍ରଥମ ଥର ଖଇରା ତହସିଲକୁ ଆସି ତଦନ୍ତ କରିଥିଲା। ଏ ସମ୍ପର୍କରେ ଖଇରା ତହସିଲଦାରଙ୍କୁ ପଚାରିବାରେ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଗ୍ରାମବାସୀ ପୃଥକ ମତ ଦେବାରୁ ଉତ୍ତରାଧିକାରୀ ପ୍ରମାଣପତ୍ର ଦେବା ସମ୍ଭବପର ନ ଥିଲା ା ଅର୍ଥ ମାଗିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ା